ବାହାନଗା ରେଳ ଷ୍ଟେସନ୍‌ରେ ସ୍ଥିତି ପରଖିଲେ ଖଡ଼ଗପୁର ଡିଆର୍‌ଏମ୍‌

ବାହାନଗା: ବାହାନଗା ରେଳ ଦୁର୍ଘଟଣାର କାରଣ ଜାଣିବାକୁ ସିବିଆଇ ତଦନ୍ତ କରୁଛି। ଅଧିକାରୀଙ୍କସ୍ତରରେ ଅଦଳବଦଳ ଚାଲିଛି। ସେହିପରି ସ୍ଥିତି ତଦାରଖ ପାଇଁ ବିଭିନ୍ନ ସମୟରେ ଅଧିକାରୀମାନେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। ଏପରି ସମୟରେ ଆଜି ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ର ଡିଆର୍‌ଏମ୍‌ କେଆର୍‌ ଚୌଧୁରୀ ବାହାନଗା ଆସି ସ୍ଥିତି ତଦାରଖ କରିଥିବା ଜଣାପଡ଼ିଛି।

ଶ୍ରୀ ଚୌଧୁରୀ ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବାହାନଗାରେ ପହଞ୍ଚିଥିଲେ। ସେ ରେଳ ଷ୍ଟେସନ୍‌ରେ ବିଭାଗୀୟ କାର୍ଯ୍ୟ ତଦାରଖ କରିବା ସହ ଚାଲି ଚାଲି କ୍ଷତିଗ୍ରସ୍ତ ରେଳଧାରଣା ଯାଞ୍ଚ କରିଥିଲେ। ଉତ୍ତର କ୍ୟାବିନ୍‌ ନିକଟରେ ରେଳପଥ ସୁରକ୍ଷା ବ୍ୟବସ୍ଥା ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସ୍ଥାନୀୟ ଲୋକଙ୍କୁ ଭେଟି ସୁବିଧା, ଅସୁବିଧା ବାବଦରେ ପଚାରିଥିଲେ। ଏହି ସମୟରେ କିଛି ଲୋକ ଷ୍ଟେସନ୍‌ ରାସ୍ତାର ମରାମତି ଓ ଦୁର୍ଘଟଣାସ୍ଥଳରେ ଅଧିକ ଆଲୋକ ବ୍ୟବସ୍ଥା ପାଇଁ ଦାବି କରିଥିଲେ। ଡିଆର୍‌ଏମ୍‌ ଶ୍ରୀ ଚୌଧୁରୀ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଥାଉକି, ଗତ ଜୁନ୍‌ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱାଡ଼ା ଏକ୍ସପ୍ରେସର ଶେଷ ଦୁଇଟି ବଗି କରମଣ୍ଡଳର ବଗି ସହିତ ଧକ୍କା ହୋଇଥିଲା। ଏଥିରେ ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧ ଶହରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର