ଅନ୍ଧବିଶ୍ବାସର ଅନ୍ଧଗଳିରେ ଜୀବନ

ମୃତକ ବଞ୍ଚିଥିବା କହି ଜୁଇରୁ ଡାକ୍ତରଖାନା ନେଲେ ଶବ

ଶାଳଚୁଆ: ସଜଡା ସରିଥିଲା ଜୁଇ। ଆଉ କିଛି ସମୟ ପରେ ହୋଇଥାନ୍ତା ଅନ୍ତିମ ସଂସ୍କାର। ଏତିକି ବେଳେ ମୃତକ ବଞ୍ଚିଛନ୍ତି କହି ଘର ଲୋକ ଗୁଣିଆକୁ ଡାକିବା ସହିତ ଝଡାଫୁଙ୍କା କଲେ। ଖାଲି ସେତିକି ନୁହେଁ, ପ୍ରାଣହୀନ ଶରୀରକୁ ଡାକ୍ତରଖାନାକୁ ଆଣିବା ପରେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭାଲୁହୁଡୁରା ଗାଁର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ଆଜିକୁ ୧୧ ଦିନ ତଳେ ଗ୍ରାମର ସୁହାଗିନୀ ବିନ୍ଧାଣୀ (୨୯) କାଠ ଚିରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ପରିବାର ଲୋକେ ଆଜି ସକାଳେ ସ୍ବର୍ଗରଥରେ ମୃତଦେହକୁ ନିଜ ଘରକୁ ନେଇ ଯାଇଥିଲେ। ଗାଁ ଲୋକେ ଓ ପରିବାର ମିଶି ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡି ସାରିଥିବା ବେଳେ ହଠାତ୍ ଘର ଲୋକ ମୃତ ସୁହାଗିନୀଙ୍କ ନିଃଶ୍ବାସ ଚାଲୁଥିବା କହି ଗୁଣିଆକୁ ଡାକିଥିଲେ। ଜଣେ ମହିଳା ଓ ପୁରୁଷ ଗୁଣିଆ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଝଡାଫୁଙ୍କା କରିବା ସହିତ ସୁହାଗିନୀ ବଞ୍ଚିଛନ୍ତି ବୋଲି କହିଥିଲେ। ଫଳରେ ପରିବାର ଲୋକ ସୁହାଗିନୀଙ୍କ ମୃତଦେହକୁ ଧରି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ସୁହାଗିନୀଙ୍କୁ ଦେଖିବା ପରେ ଅନେକ ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା କହିଥିଲେ। କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ ହୋଇଥିଲେ। ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇନଥିବା ଓ ଚିକିତ୍ସାରେ ଡାକ୍ତର ଅବହେଳା କରିଥିବା କହିବାରୁ ଡାକ୍ତରଖାନାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ତେବେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିବାର ଲୋକେ ଗାଁ’କୁ ମୃତଦେହ ନେଇ ସଂସ୍କାର କରିଥିବା ଜଣାପଡ଼ିଛି। ବିଜ୍ଞାନ ଯୁଗରେ ଆଜି ବି ଅନ୍ଧବିଶ୍ବାସ ବଞ୍ଚି ରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧିତ ଖବର