ବାହାନଗା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଂଜୁର କଲେ ରେଳମନ୍ତ୍ରୀ

ବାଲେଶ୍ୱର: ରେଳ ଦୁର୍ଘଟଣାରେ ଚର୍ଚ୍ଚାକୁ ଆସିଥିବା ବାହାନଗା ଅଞ୍ଚଳର ବିକାଶ ପାଇଁ ୧ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ | କେବଡ଼ର ରେଳମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ସାଂସଦ ପାଣ୍ଠିରୁ ଏହି ଅନୁଦାନ ଯୋଗାଇଦେବେ | ମିଳିଥିବା ସୂଚନା ମୁତାବକ ରେଳ ଦୁର୍ଘଟଣା ପରେ ଗତ ମାସରେ ଦୁଇ ଦିନ ପାଇଁ ଅଶ୍ୱିନୀ ବୈଷ୍ଣବ, ବାହାନଗା ବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ବାହାନଗା ଥିଲେ। ଟ୍ରେନ୍ ଦୁର୍ଘଟଣାବେଳେ ବାହାନଗାବାସୀ ଯେଉଁଭଳି ସହଯୋଗ ଓ ସହାୟତା କରିଥିଲେ, ତାହାକୁ ନେଇ ପ୍ରଶଂସା କରିଥିଲେ | ତେବେ ରେଳମନ୍ତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ଏହି ଅଞ୍ଚଳର ବିକାଶ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ। ଆଉ ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି |

ନିଜ ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି | ୧ କୋଟି ଟଙ୍କା ବାହାନଗା ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରାଯିବ | ୩୫ ଲକ୍ଷ ଟଙ୍କାରେ ଏକ ଆଧୁନିକ ସୁବିଧା ସମ୍ପନ୍ନ ଆମ୍ବୁଲାନ୍ସ ସହିତ ୨୦ ଲକ୍ଷ ଟଙ୍କାରେ ଲାଏନ୍ସ ଆଖି ଡାକ୍ତରଖାନାରେ ଅତ୍ୟାଧୁନିକ ଅପରେସନ ଥିଏଟର ନିର୍ମାଣ କରାଯିବ | ବାହାନଗା ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ବାହାନଗା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ୫ଟି, କମ୍ୟୁନିଟି ସେଣ୍ଟର ଏବଂ ହଲ୍ ସହିତ ଶୌଚାଳୟ ନିର୍ମାଣ ହେବ | ସେହିପରି ବାସୁଲି ହାଇସ୍କୁଲ ନିକଟରେ ଶିଶୁ ଉଦ୍ୟାନ ଏବଂ ଜିମ୍ ନିର୍ମାଣ, ଏନଏଚ-୧୬ରୁ ସାର୍ଟିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡିଆର ଉନ୍ନତିକରଣ, ୪୨ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ |

ସମ୍ବନ୍ଧିତ ଖବର