ଶିମିଳିପାଳରେ ଦୁର୍ଲଭ ଅର୍ଚିଡ୍‌ ଫୁଲ

ସିଙ୍ଗଡ଼ା(ଉଦୀପ୍ତ କୁମାର ବେହେରା): ଜୈବ ବିବିଧତାର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ। ଏଠାରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ, ମୂଲ୍ୟବାନ ବୃକ୍ଷ, ଏକାଧିକ ଜଳପ୍ରପାତ ସହିତ ମନଲୋଭା ପ୍ରାକୃତିକ ସବୁଜିମାକୁ ଉପଭୋଗ କରିବା ଲାଗି ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି। ଅପରନ୍ତୁ ଶିମିଳିପାଳ ଅଭୟାରଣ୍ୟରେ ବିଶେଷ ସମୟରେ ଫୁଟୁଥିବା ଦୁର୍ଲଭ ଅର୍ଚିଡ୍‌ ଫୁଲ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ୨୭୫୦ ବର୍ଗ କିଲୋମିଟର ପରିବେଷ୍ଟିତ ଶିମିଳିପାଳ ଅଭୟାରଣ୍ୟରେ ୧୦୭୬ ପ୍ରକାରର ବୃକ୍ଷ ଦେଖିବାକୁ ମିଳେ। ଏଠାରେ ରହିଛି ଯୋରନ୍ଦା, ବରେହିପାଣି, ଉସୁକି ଭଳି ଏକାଧିକ ସୁନ୍ଦର ଜଳପ୍ରପାତ। ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟ ଏହା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ହାସଲ କରିଛି। ଏଠାରେ ବନ ବିଭାଗ ପକ୍ଷରୁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌)ର ବ୍ୟବସ୍ଥା କରାଯାଇଛି।

ଭରିରହିଛି ଅନେକ ଔଷଧୀୟ ଗୁଣ
ସଂରକ୍ଷଣ ପାଇଁ ସରକାରୀ ପ୍ରୋତ୍ସାହନ ଜରୁରି

ଅଭୟାରଣ୍ୟରେ ସାଧାରଣତଃ ଫେବ୍ରୁଆରିରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୯୬ ପ୍ରକାରର ଅର୍ଚିଡ୍‌ ଫୁଲ ଫୁଟିଥାଏ। ଗତବର୍ଷ ନୂତନ ପ୍ରଜାତିର ୧୦ ପ୍ରକାର ଅର୍ଚିଡ୍‌ ଲତା ବା ଗୁଳ୍ମ ଆବିଷ୍କୃତ ହୋଇଥିଲା। ଏହାର ଫୁଲ ଅତ୍ୟନ୍ତ ସୁନ୍ଦର ଓ ଦୁର୍ଲଭ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଅର୍ଚିଡ୍‌ ଫୁଲର ବିଶେଷତ୍ବ ହେଉଛି, ଏହା ଫୁଟିବାର ମାସେ ପର୍ଯ୍ୟନ୍ତ ମଉଳି ନଥାଏ। ଶିମିଳିପାଳରେ ଏହି ଲତା ଅଧିକ ପରିମାଣରେ ଦେଖାଯାଉଥିବାରୁ ଗୁଡୁଗୁଡିଆଠାରେ ୧୯୭୮ ମସିହାରେ ଅର୍ଚିଡ୍‌ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହି ଲତା ଥଣ୍ଡା ଜଳବାୟୁରେ ଅଧିକ ବଢ଼ିଥାଏ। କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ,ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ପାଟବିଲଠାରେ ମଧ୍ୟ ଏକ ନୂତନ ଅର୍ଚିଡ୍‌ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ଦେଶ ବିଦେଶରେ ଏହାର ଚାହିଦା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ବ୍ୟବସାୟୀକରଣ କରାଯାଇପାରିନାହିଁ। ଶିମିଳିପାଳ ବନାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କୁ ଯଦି ସରକାର ପ୍ରଶିକ୍ଷଣ ଦିଅନ୍ତେ ତେବେ ଅର୍ଚିଡ୍‌ ଫୁଲର ବହୁଳ ବ୍ୟବସାୟ ସାଙ୍ଗକୁ ଲୋକମାନଙ୍କର ଅର୍ଥନୈତିକ ବିକାଶ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର