ଭକ୍ତିପୂର୍ଣ୍ଣ ପରିବେଷରେ ମାଲକାନଗିରିରେ ଘୋଷଯାତ୍ରା 

ମାଲକାନଗିରି:  ଭକ୍ତିପୂର୍ଣ୍ଣ ଓ ଆନନ୍ଦ ଉଲ୍ଲାସରେ ଆଜି ମାଲକାନଗିରି ସହରରେ ବେଶ ଉତ୍ସାହର ସହିତ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ପୁରପଲ୍ଲୀରୁ ଜନସାଧାରଣ ସହରମୁହାଁ ହୋଇଛନ୍ତି। ଭକ୍ତି ଓ ଭାବପୂର୍ଣ୍ଣ ହଜାର ହଜାର ସଂଖ୍ୟକ ଭକ୍ତଗଣ ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ମା’ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇ ପଡିଥିଲା ମାଲକାନଗିରି ସହରର। କିଏ ଦୁଇ ହାତକୁ ଟେକି ଠାକୁରଙ୍କୁ ଡାକୁଥିବା ବେଳେ ଆଉ କିଏ ରଥକୁ ଛୁଇଁ ଆନନ୍ଦ ଲାଭ କରୁଥିଲେ। କାଳିଆ ସାଅନ୍ତକୁ ଦେଖିବା ପାଇଁ ଚଳଚଞ୍ଚଳ ହୋଇଯାଇଥିଲା ସହର। ମାଲକାନଗିରି ସହରରେ ଦୁଇଟି ସ୍ଥାନରେ ରଥଯାତ୍ରା ହେଉଥିବା ବେଳେ ଉଭୟ ସ୍ଥାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ମାଲକାନଗିର ଦୁର୍ଗାଗୋଡି ସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭୋର ୫ଟା ବେଳ‌େ ପହଡ ଖୋଲିଥିଲା। ସାଢ଼େ ୬ଟାରେ ବାଳଧୂପ ହେବା ପରେ ୭ଟାରେ ରଥ ପ୍ରତିଷ୍ଠା କରାଯାଇଥିଲା। ‌ହୋମଯଜ୍ଞ ନିତୀକାନ୍ତି ପରେ ପୂର୍ବାହ୍ନ ୧୦ଟାରେ ଖେଚୁଡି ଭୋଗ ପୂଜା ହେବା ପରେ ପ୍ରସାଦ ବଣ୍ଟନ କରଯାଇଥିଲା। ଅନ୍ୟାନ ପୂଜାପାଠ ପରେ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ପହଡ ପଡିଥିଲା। ପୁଣି ସାଢ଼େ ୩ଟାରେ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ ଏହାପରେ ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ପରେ କଳାଠାକୁରଙ୍କ ପହଣ୍ଡି ହୋଇଥିଲା। ଅପରାହ୍ନ ସାଢ଼େ ୪ଟାରେ ପହଣ୍ଡି ଶେଷ ହୋଇଥିବା ବ‌େଳେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥିଲେ। ସେଠାରେ ମାଲକାନଗିରି ଜିଲ୍ଲପାଳ ବିଶାଲ ସିଂ ଛେରା ପହଁରା କରିବା ପରେ ପୁରୋହିତ ବିନାୟକ ଶତପଥୀ, ମନୋରଞ୍ଜନ ଦାସ ଓ ସହଯୋଗୀମାନେ ପୂଜା କରିଥିଲେ। ରଥରେ ଆଳତୀ ହେବା ପରେ ଅପରାହ୍ନ ସାଢ଼େ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ସଂଖ୍ୟକ ଶଦ୍ଧ୍ରାଳୁ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା। ଆଜି ଦିନ ତମାମ ପାଗ ମେଘୁଆ ରହିଥିବା ବେଳେ ବହୁ ସଂଖ୍ୟାର ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟ, ତାଳ ଓ ଜୟଜଗନ୍ନାଥ ଧ୍ବନୀରେ ରଥ ଆଗକୁ ମାଡି ଚାଲିଥିଲା। ନର୍ତକୀମାନ‌େ ସେଠାରେ ଓଡିଶୀ ନୃତ୍ୟ ପରିବେଷଣ କରୁଥି‌ଲେ। ସନ୍ଧ୍ୟା ୭ଟା ୧୦ ରେ ମାଉସୀ ମାଁ ମନ୍ଦିରରେ ରଥ ପହଞ୍ଚିଥିଲା। ରଥରେ ଭକ୍ତମାନେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରିଥିବା ବେଳେ ରାତିରେ ପହଣ୍ଡି ହୋଇ ଠାକୁର ଆଡପ ମଣ୍ଡପକୁ ଯାଇଥି‌ଲେ। ରଥଯାତ୍ରା ସମୟରେ ଉପଜିଲ୍ଲପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ତହସିଲଦାର ସୟଦ ସବିର ସାହା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ଏଏସ୍‌ପି ବଳଭଦ୍ର ଦୀପଙ୍କ ନେତୃତ୍ବରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଓ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ରହିଥିଲେ।

ସେହିପରି ସ୍‌ଥାନୀୟ ଚିଦାନନ୍ଦ ସାହି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ମାଲକାନଗିରି ବନବିଭାଗ ପକ୍ଷରୁ ରଥଯାତ୍ରା ହୋଇଥିଲା। ଆଜି ସକାଳୁ ପୂଜାର୍ଚ୍ଚନା ସରିବା ପରେ ପହଣ୍ଡି ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥିଲେ। ରଥରେ ମାଲକାନଗିରି ଖଣ୍ଡୀୟ ବନ ଅଧିକାରୀ ପ୍ରତାପ କୋଟ୍ଟାପାଲ୍ଲୀ ଛେରା ପହଁରା କରିଥିଲେ। ସେଠାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ସମେତ ବହୁ ବନକର୍ମଚାରୀ ଓ ଭକ୍ତମାନ‌େ ଯୋଗ ଦେଇଥିଲେ। ଏଥିରେ ବନବିଭାଗ କର୍ମଚାରୀଙ ସହିତ ବହୁ ଭକ୍ତ ସମାଗମ ହୋଇ ରଥକୁ ଟାଣିଥି‌ଲେ। ସନ୍ଧ୍ୟା ସାଢ଼େ ୬ଟା ବେଳକୁ ସୁବାଷ ଛକ ଠାରେ ଥିବା ମାଉସୀମା ମନ୍ଦିରରେ ରଥ ପହଞ୍ଚିଥିଲା। ରଥରେ ଭକ୍ତମାନ‌େ ଠାକୁରଙ୍କ ଦର୍ଶନ ପରେ ଚାରି ଠାକୁର ରାତିରେ ଆଡପ ମଣ୍ଡପକୁ ଯାଇଥିଲେ। ଏହି ଅବସରରେ ମାଲକାନଗିରି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସେଠାରେ ଥଣ୍ଡା ପାନୀୟ ଜଳ ବିତରଣ କରାଉଥିବା ବ‌େଳେ ସ୍ବେଚ୍ଛାସେବୀ ଅନୁଷ୍ଠାପ ପକ୍ଷରୁ ପ୍ରସାଦ ବଣ୍ଟନ କରୁଥି‌ଲେ। 

ସମ୍ବନ୍ଧିତ ଖବର