ଭଦ୍ରକ ଜିଲ୍ଲାରେ ୯୦ ହଜାର ଟପିଗଲା ଚାଷୀ ପଞ୍ଜୀକରଣ, ଅଡ଼ୁଆରେ ଜିଲ୍ଲା ଯୋଗାଣ ବିଭାଗ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ଶେଷ ତାରିଖ ସୁଦ୍ଧା ମୋଟ ୯୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ୭୯ ହଜାର ରହିଥିଲା। ଏଥର ଏତେ ଅଧିକ ଚାଷୀ କୁଆଡୁ ଆସିଲେ ବୋଲି ସବୁଠି ଚର୍ଚ୍ଚ ହେଉଛି। ଏହି ଅଧିକ ଚାଷୀଙ୍କ ନାମ କିପରି ଭାବରେ ପଞ୍ଜୀକରଣ କରାଗଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଏଥିରେ କିଛି ହେରା ଫେରି ହୋଇ ନାହିଁ ତ? ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ ସୂଚନା ଅନୁଯାୟୀ ଚଳିତବର୍ଷ ୫୬ ଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ୯୬ ଗୋଟି ସେବା ସମବାୟ ସମିତି ଜରିଆରେ ୮୮ ହଜାର ଚାଷୀଙ୍କ ପଞ୍ଜୀକରଣ ଚୂଡାନ୍ତ ହୋଇ ସାରିଥିବା ବେଳେ ଏହାର ଯାଞ୍ଚ ସରିବା ପରେ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ୯୧ ହଜାର ଛୁଇଁବ ବୋଲି କହିଛନ୍ତି।

ବିଭାଗୀୟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଥିବା ବେଳେ ଆହୁରି ୩ ହଜାର ଚାଷୀଙ୍କ ଯାଞ୍ଚ ଚାଲିଛି। ତେଣୁ ଯାଞ୍ଚ ଚୂଡାନ୍ତ ହେବା ପରେ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ୯୧ ହଜାର ଲକ୍ଷ ଛୁଇଁବ ବୋଲି କତ୍ତୃପକ୍ଷ କହିଛନ୍ତି। ତେବେ ଚଳିତବର୍ଷ ପଛୁଆ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁ ଜିଲ୍ଲାରେ ଖରିଫ ଧାନ ଚାଷ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଚଳିତବର୍ଷ ଜିଲାରେ ୧ ଲକ୍ଷ ୬୧ ହଜାର ଜମିରେ କେବଳ ଖରିଫ ଧାନ ଚାଷ କରିବାକୁ ଲକ୍ଷ ଧାର୍ଯ୍ୟ ରଖାଯାଇଥିବା ବେଳେ ବନ୍ୟା ବେଳକୁ ମାତ୍ର ୩୦ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ସମ୍ଭବ ହୋଇଥିଲା। ତେଣେ ସରକାର ଜିଲ୍ଲାରେ ଚାଷୀ ପଞ୍ଜୀକରଣ ସମୟ ଅଗଷ୍ଟ ମାସ ୧୬ ତାରିଖକୁ ଧାର୍ଯ୍ୟ କରିଥିବା ବେଳେ ଏହା ପରେ ପୁଣି ୭ ଦିନ ପଞ୍ଜୀକରଣ ଅବଧି ବୃଦ୍ଧି କରିଥିଲେ। ଚଳିତ ଅଗଷ୍ଟ ମାସ ୨୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ପରେ ବନ୍ଦ କରି ଦେଇଥିଲେ।

ତେବେ ଏହି ଅବଧି ମଧ୍ୟରେ ଜିଲ୍ଲାରେ ରେକର୍ଡ ପରିମିତ ୯୧ ହଜାର ଚାଷୀ ପଞ୍ଜୀକରଣ ହେବା ଜିଲ୍ଲା ଯୋଗାଣ ନିଗମ କତ୍ତୃପକ୍ଷଙ୍କ ଚିନ୍ତାରେ ପକାଇ ଦେଇଛି। କାରଣ ଗତବର୍ଷ ଜିଲ୍ଲାରେ ୭୯ ହଜାର ଚାଷୀ ସରକାରଙ୍କୁ ଧାନ ବିକିବାକୁ ପଞ୍ଜୀକରଣ କରିଥିଲେ ମଧ୍ୟ ସେଥିରୁ ବହୁ କଷ୍ଟରେ ୬୬ ହଜାର ଚାଷୀଙ୍କ ଜରିଆରେ ସରକାର ମାତ୍ର ୨୬ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ। ମାତ୍ର ଚଳିତବର୍ଷ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ୯୧ ହଜାର ଛୁଇଁବା ଘଟଣା ଯୋଗାଣ ନିଗମ କତ୍ତୃପକ୍ଷଙ୍କୁ ଅଡୁଆରେ ପକାଇ ଦେଇଛି। ତେବେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ବୃଦ୍ଧି ଘଟିବା କାରଣ ସମ୍ପର୍କରେ ଜିଲ୍ଲା ଯୋଗାଣ ନିଗମଧିକାରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରେ ସେ କହିଥିଲେ ଗତବର୍ଷ ବଡ଼ ଚାଷୀ ସେମାନଙ୍କ ଧାନ ବିକ୍ରି କରି ପାରିନଥିବାରୁ ଚଳିତବର୍ଷ ଏହି ଜମିକୁ ଭାଗ ଭାଗ କରି ଏକାଧିକ ଚାଷୀଙ୍କ ନାମରେ କରି ଦିଆଯିବା ଯୋଗୁ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇଛି।

ତା’ଛଡ଼ା ପୂର୍ବରୁ ଯେକୌଣସି ପାକ୍ସ/ଡବ୍ଲୁଏସଏଚଜି ନିକଟରେ ଜଣେ ଚାଷୀ ନିଜର ସମସ୍ତ ଜମିର ପଞ୍ଜିକରଣ କରିପାରୁଥିବା ବେଳେ ଚଳିତବର୍ଷ ଯେଉଁ ଅଞ୍ଚଳରେ ଜମି ରହିଥିବ କେବଳ ସେହି ଅଞ୍ଚଳରେ ପଞ୍ଜୀକରଣକୁ ବାଧ୍ୟତା ମୁଳକ କରାଯାଇଥିବା ଯୋଗୁ ଜମି ପରିମାଣ ବୃଦ୍ଧି ନଘଟି ମଧ୍ୟ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ବୃଦ୍ଧି ପାଇଥିବା ସେ କହିଛନ୍ତି। ତେବେ ଏ ବାବଦରେ ଜିଲ୍ଲା ଯୋଗାଣ ନିଗମ କତ୍ତୃପକ୍ଷ ଯାହା କୁହନ୍ତୁନା କାହିଁକି ଚଳିତବର୍ଷ ଜିଲ୍ଲାରେ ଖରିଫ ଧାନ ଚାଷ ଭୀଷଣ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବେକେ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ୯୦ ହଜାର ଟପିବା ଘଟଣା ସାଧାରଣ ମହଲରେ ବିସ୍ମୟ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ବନ୍ୟା ଯୋଗୁଁ ଅନେକ ଚାଷ ଜମି ପଡ଼ିଆ ପଡ଼ିବାର ଆଶଙ୍କା ଦେଖା ଦେଇଛି।

 

ସମ୍ବନ୍ଧିତ ଖବର