ସାମାଜିକ ଦାୟିତ୍ବବୋଧ ଫାଙ୍କୁଛନ୍ତି ଶିଳ୍ପସଂସ୍ଥା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ସିଏସ୍‌ଆର୍‌ ପାଣ୍ଠିର ବିନିଯୋଗ ନୈରାଶ୍ୟଜନକ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଶିଳ୍ପ ସଂସ୍ଥାମାନଙ୍କୁ ତାଗିଦ୍‌ କରାଯାଉନି କି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଶିଳ୍ପସଂସ୍ଥାଗୁଡ଼ିକ ସାମାଜିକ ଉନ୍ନତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ସେପଟେ ଏ ନେଇ ପ୍ରଶ୍ନ ହେଲେ କରୋନା ପରଠୁ କମ୍ପାନି ଦେବାଳିଆ ସ୍ଥିତିରେ ରହିଛି କହି ବିଭିନ୍ନ ଶିଳ୍ପାନୁଷ୍ଠାନ ନିଜ ଦାୟିତ୍ବରୁ ଓହରି ଯାଉଛନ୍ତି।

ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବଡ଼ କମ୍ପାନିମାନେ ସେମାନଙ୍କର ମୋଟ୍‌ ଲାଭର ୨ ପ୍ରତିଶତ ଅର୍ଥରାଶି ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଖର୍ଚ୍ଚ କରିବା ବାଧ୍ୟତାମୂଳକ। ଏହାକୁ ନିଶ୍ଚିତ କରିବା ଓ ସିଏସ୍‌ଆର୍ ପାଣ୍ଠିର ସୁପରିଚାଳନା ପାଇଁ କେନ୍ଦ୍ର ସରକାର ନୂଆ ସିଏସ୍‌ଆର୍ ଆକ୍ଟ ୨୦୧୩ ମସିହାରେ ଲାଗୁ କରିଥିଲେ ଓ ଏହା ୨୦୧୪ରୁ କାର୍ଯ୍ୟକାରୀ ହେଉଛି। କମ୍ପାନିଗୁଡ଼ିକ ସେମାନଙ୍କ ସିଏସ୍‌ଆର୍ ପାଣ୍ଠି ନିଜ ଇଚ୍ଛାରେ ଖର୍ଚ୍ଚ ନ କରି ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସମ୍ପୃକ୍ତ କରି ମିଳିତ ନିଷ୍ପତ୍ତିରେ କାମ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ କମ୍ପାନିଗୁଡ଼ିକ ବିଭିନ୍ନ ଆଳ ଦେଖାଇ ଏ ବାବଦ ଟଙ୍କା ଖର୍ଚ୍ଚ କରୁନାହାନ୍ତି। ଜିଲ୍ଲା ପ୍ରଶାସନର ୱେବ୍‌ସାଇଟ୍‌ରେ ୨୦୧୯-୨୦ ମସିହା ପରଠୁ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ବାବଦ କୌଣସି ତଥ୍ୟ ନାହିଁ। କରୋନା ପରଠୁ ଜିଲ୍ଲାରେ ଏହି ପାଣ୍ଠି ଆଦୌ ଖର୍ଚ୍ଚ ହୋଇନାହିଁ କହିଲେ ଚଳେ।

ପୂର୍ବରୁ ବାଲେଶ୍ବରରେ ଥିବା ବିଭିନ୍ନ କମ୍ପାନି ଗୋଟିଏ ଗୋଟିଏ ବ୍ଲକ୍‌କୁ ହାତକୁ ନେଇ ସିଏସ୍‌ଆର୍‌ ପାଣ୍ଠିକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଛନ୍ତି। ୨୦୧୯ ଯାଏ ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ୍‌ ଏକ୍ସରେ ମେସିନ୍‌ ମରାମତି ଓ ନୂତନ ମେସିନ୍‌ ସ୍ଥାପନ, ଶିକ୍ଷାନୁଷ୍ଠାନରେ ବେଞ୍ଚ ଓ ଡେସ୍କ, ସାମୂହିକ ଶୌଚାଳୟ, ସବ୍‌ଟ୍ରେଜେରି ଅଫିସ୍‌ ମରାମତି, ରାସ୍ତା ଓ ଲାଇଟ୍‌ ବ୍ୟବସ୍ଥା, ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଶଯ୍ୟା ଓ ମେଟ୍ରେସ୍‌, ଡିଜିଟାଲ ଅଟ୍ରାସାଉଣ୍ଡ ମେସିନ୍‌ ଆଦି ପାଇଁ ସିଏସ୍‌ଆର୍‌ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇଥିବା ସରକାରୀ ପୋର୍ଟାଲରେ ଦର୍ଶାଯାଇଛି।

ବିନିଯୋଗ ହେଉନି ସିଏସ୍‌ଆର ପାଣ୍ଠି
୨୦୧୯ ମସିହା ପରଠୁ ତଥ୍ୟ ନାହିଁ
ଏବେ ବି କରୋନାକୁ ଆଳ କରିଛନ୍ତି

୨୦୧୯ ମସିହାରେ ଭୋଗରାଇ ବ୍ଲକ୍‌ ପାଇଁ ବାଲେଶ୍ବର ମେରାଇନ୍‌ ଓ ମାଗନମ୍‌ ମେରାଇନ୍‌ ପକ୍ଷରୁ ୨୦ ଲକ୍ଷ, ସଦର ବ୍ଲକ୍‌ରେ ହରିପ୍ଲାଷ୍ଟ ଓ ହରି ମେରାଇନ୍‌, ଓମ୍‌ ପାଇପ୍‌ ୱାର୍କସ, ଇଷ୍ଟର୍ଣ୍ଣ ସିଲିଣ୍ଡର, ଜୟସ୍ବାଲ ପାଇପ୍‌ ୱାର୍କ ପକ୍ଷରୁ ୬୯ ଲକ୍ଷ, ସିମୁଳିଆ ବ୍ଲକ୍‌ରେ ଇଣ୍ଡିଆନ୍‌ ବୋଟଲିଂ ପ୍ଲାଣ୍ଟ ଓ ହିନ୍ଦୁସ୍ତାନ‌ ପେଟ୍ରୋଲିୟମ୍‌ ଲିମିଟେଡ୍‌ ପକ୍ଷରୁ ୪୮ ଲକ୍ଷ, ବାଲିଆପାଳ ବ୍ଲକ୍‌ରେ ବାଲେଶ୍ବର ଆଲଏଜ୍‌ ଲିମିଟେଡ ପକ୍ଷରୁ ୪୭ ଲକ୍ଷ, ସୋର ବ୍ଲକ୍‌ରେ ଭାରତ ପେଟ୍ରୋଲିୟମ୍‌ ଓ ଇଣ୍ଡିଆନ୍‌ ଅଏଲ ଲିମିଟେଡ୍‌ ପକ୍ଷରୁ ୭୬ ଲକ୍ଷ, ରେମୁଣା ବ୍ଲକ୍‌ରେ ବାଲେଶ୍ବର ବି ଏଣ୍ଡ୍‌ ଏ ପ୍ୟାକେଜିଂ ଲିମିଟେଡ୍‌ ପକ୍ଷରୁ ୪୩ ଲକ୍ଷ, ବସ୍ତା ବ୍ଲକ୍‌ରେ ଇମାମୀ ପେପର ମିଲ୍‌ସ ପକ୍ଷରୁ ୭୪.୫ ଲକ୍ଷ, ଜଳେଶ୍ବର ବ୍ଲକ୍‌ରେ ଆଲମ୍‌ ଏକ୍ସଟ୍ରୋସନ୍‌ ଲିମିଟେଡ ଓ ଏଭରେଷ୍ଟ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ ୩୧ ଲକ୍ଷ, ଖଇରା ବ୍ଲକ୍‌ରେ ବାଲେଶ୍ବର ଆଲ୍‌ଏଜ ଓ ଇମାମୀ ପେପର ମିଲ୍‌ସ ପକ୍ଷରୁ ୩୬ ଲକ୍ଷ, ନୀଳଗିରି ବ୍ଲକ୍‌ରେ ବିର୍ଲା ଟାୟାର୍ସ ପକ୍ଷରୁ ୭୧ ଲକ୍ଷ, ବାହାନଗା ବ୍ଲକ୍‌ରେ ଫାଲକନ୍‌ ମେରାଇନ୍‌ ପକ୍ଷରୁ ୩୮.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ହେଲେ ଗତ ୪ ବର୍ଷରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ହେବାର କୌଣସି ସୂଚନା ନାହିଁ। ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂପୃକ୍ତ ଅଧିକାରୀ ବି କହିପାରୁନାହାନ୍ତି। ପୂର୍ବରୁ ସିଏସ୍‌ଆର୍‌ ପାଣ୍ଠି ବିନିଯୋଗ ହେଉଥିଲା। ଏବେ ଆଉ କେହି କମ୍ପାନି ଟଙ୍କା ଖର୍ଚ୍ଚ କରୁନାହାନ୍ତି ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ତେବେ ଡିଆଇସି କାର୍ଯ୍ୟାଳୟ ଏ ବାବଦରେ କହିପାରିବେ ବୋଲି ସେ କହିଥିଲେ। ହେଲେ ଡିଆଇସି କାର୍ଯ୍ୟାଳୟ ପାଖରେ ମଧ୍ୟ ଏ ସଂପର୍କରେ କୌଣସି ସୂଚନା ନାହିଁ।

ସମ୍ବନ୍ଧିତ ଖବର