ମଜୁରି ଦାବିରେ ୫ ଇଞ୍ଜିନିୟରଙ୍କୁ ଅଟକ ରଖିଲେ ଶ୍ରମିକ

କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଶୁକୃଳି ବ୍ଲକ୍‌ ଇନ୍ଦିପୁର ଗାଁରେ ଏଚ୍‌ଏସସିଏଲ୍ ସଂସ୍ଥା ପକ୍ଷରୁ ଏକଲବ୍ୟ ବିଦ୍ୟାଳୟର ନିର୍ମାଣ କାମ ଚାଲିଛି। ଏକାଧିକ ଠିକାଦାର, ମିସ୍ତ୍ରି, ପୁରୁଷ ଓ ମହିଳା ଶ୍ରମିକ ନିର୍ମାଣ କାମରେ ନିୟୋଜିତ ଥିବା ବେଳେ ଏହା ଭିତରେ ୨ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ କାମ କରୁଥିବା ଶ୍ରମିକମାନଙ୍କୁ ଏଯାବତ ପ୍ରାପ୍ୟ ମିଳିନାହିଁ।

ବାରମ୍ବାର ପାଉଣା ମାଗି ନିରାଶ ହେବା ପରେ ଆଜି କାର୍ଯ୍ୟ ତଦାରଖ ପାଇଁ ଆସିଥିବା ନିର୍ମାଣକାରୀ ସଂସ୍ଥାର ଇଞ୍ଜିନିୟର କୌଶଳ କିଶୋର, ଶୁଭମ ରାଜ, ପ୍ରକଳ୍ପ ପରିଚାଳକ ସୁମିତ କୁମାରଙ୍କ ସହ ଅନ୍ୟ ୨ ଜଣ ବୈଷୟିକ ଅଧିକାରୀଙ୍କୁ ଶ୍ରମିକମାନେ ଅଟକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ରରୁଆଁ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ, ସିଙ୍ଗଡ଼ା ଫାଣ୍ଡି ଅଧିକାରୀ ତପନ କୁମାର ବାରିକ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରିବା ସହ ଇଞ୍ଜିନିୟରମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଆଗାମୀ ଜୁଲାଇ ମାସ ୫ ତାରିଖ ସୁଦ୍ଧା ଶ୍ରମିକମାନଙ୍କର ଯାହା ବକେୟା ପାଉଣା ରହିଛି, ତାହା ପ୍ରଦାନ କରାଯିବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର