ନଭେମ୍ବର ୨୫ ତାରିଖ ଦିନ ଯେତେବେଳେ ଓଡ଼ିଶା ବିଧାନସଭା ଗୃହରେ ଖଣ୍ତପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ (ଏହି ସମ୍ବାଦପତ୍ରର ସ˚ପାଦକ)ଙ୍କର ରାଜ୍ୟରେ ନାରୀମାନଙ୍କ ବିିରୋଧରେ ହି˚ସାଚରଣ ସମ୍ପର୍କିତ ଏକ ପ୍ରଶ୍ନ ଉତ୍ଥାପିତ ହେଲା, ତାହା ସ˚ଯୋଗ କ୍ରମେ ପୃଥିବୀର ଆରପଟେ କ୍ୟାରିବିଆନ୍ ସାଗର ମଧୢରେ ଅବସ୍ଥିତ ଦ୍ବୀପଦେଶ ଡୋମିନିକାନ୍ ରିପବ୍ଲିକ୍ର କିଂବଦନ୍ତି ପାଲଟିଥିବା ମିରାବାଲ୍ ଭଗିନୀମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଥିଲା ବୋଲି ବିଚାର କରାଯାଇପାରେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
୧୯୫୦ ଦଶକରେ ଏହି କ୍ଷୁଦ୍ରଦେଶ ଥିଲା ରାଫାଏଲ୍ ଟ୍ରୁହିୟୋ ନାମକ ଜଣେ ଅତ୍ୟନ୍ତ ନିଷ୍ଠୁର ଏକଛତ୍ର ଶାସକଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ। ଦେଶସାରା ଖଞ୍ଜା ଯାଇଥିବା ଗୁପ୍ତଚରମାନଙ୍କ ଜରିଆରେ ସେ ପ୍ରତ୍ୟେକ ନାଗରିକର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। କେହି ଯଦି ତାଙ୍କର ଆତ୍ମବଡ଼ିମା ପ୍ରତି ସାମାନ୍ୟତମ ଆଞ୍ଚ ଆଣିବା ଭଳି ଆଚରଣ ପ୍ରଦର୍ଶନ କରୁଥିଲା, ସେ ତା ପ୍ରତି କଠୋରତମ ଶାସ୍ତି ବିଧାନ କରୁଥିଲେ। ଏଇଭଳି ଏକ ସମୟରେ ସେଠାରେ ଏକ ବ୍ୟତିକ୍ରମ ସ୍ବରୂପ ଆବିର୍ଭାବ ଘଟିଥିଲା ଏକ ଅପେକ୍ଷାକୃତ ସ୍ବଚ୍ଛଳ ବିବେଚିତ ମିରାବାଲ୍ ପରିବାରର ଚାରିଜଣ ଭଉଣୀଙ୍କର: ମିନର୍ଭା, ପ୍ୟାଟ୍ରିଆ, ମାରିଆ ଟେରିସା, ଓ ଡେଡେ। ଏମାନେ ଟ୍ରୁହିୟୋଙ୍କର ଅତ୍ୟାଚାରୀ ଶାସନ ବିରୋଧରେ ସ୍ବର ଉଠାଇବାକୁ ସାହସ କରି ତାଙ୍କର ବିଷ ଦୃଷ୍ଟିରେ ପଡ଼ିଥିଲେ, ଯାହାର ଅନ୍ୟ ପାର୍ଶ୍ବ ମଧୢ ଥିଲା ଜଣା ଶୁଣା ଭାବେ କାମୁକ ଟ୍ରୁହିୟୋଙ୍କର ଲୋଲୁପ ଦୃଷ୍ଟି।
ଥରେ ଏକ ପାର୍ଟିରେ ଟ୍ରୁହିୟୋ ମିନର୍ଭାଙ୍କ ସହିତ ଜବରଦସ୍ତି କରିବାରୁ ଏହି ନିର୍ଭୀକ ଯୁବତୀ ସର୍ବ ସମକ୍ଷରେ ସେ ଅତ୍ୟାଚାରୀର ଗାଲରେ ଏକ ଚାପୁଡ଼ା କଷି ଦେଇ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲେ। ଏହା ପରେ ସମସ୍ତ ମିରାବାଲ୍ ପରିବାରକୁ ବିଦ୍ରୋହୀ ରୂପେ ବିଚାର କରି ଟ୍ରୁହିୟୋ ସରକାର କାରାଦଣ୍ତ ସମେତ ବିଭିନ୍ନ ନିଷ୍ଠୁର ପ୍ରତିଶୋଧର ସମ୍ମୁଖୀନ କରାଇଥିଲା। ଏହାର ଅ˚ଶ ସ୍ବରୂପ ଏଇ ଭଗିନୀମାନଙ୍କର ସ୍ବାମୀମାନଙ୍କୁ ଏକ ସୁଦୂର ଅଗମ୍ୟ ପାର୍ବତ୍ୟ ଅଞ୍ଚଳରେ ଥିବା କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଭଗିନୀମାନେ ଥରେ ପତିମାନଙ୍କୁ ଦେଖା କରିବା ପାଇଁ ନିଛାଟିଆ ପାର୍ବତ୍ୟ ରାସ୍ତାରେ ଏକ ଜିପ୍ ଯୋଗେ ଯାଉଥିବା ବେଳେ ଟ୍ରୁହିୟୋ ନିଯୁକ୍ତ ଆତତାୟୀମାନେ ସେମାନଙ୍କ ଗାଡ଼ିକୁ ଅଟକାଇ ଜଣ ଜଣ କରି ତିନିଜଣ ଭଉଣୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନଙ୍କ ମୃତ ଦେହ ସବୁକୁ ଜିପ୍ ଭିତରେ ରଖି ତାହାକୁ ପାହାଡ଼ କାନ୍ଥି ତଳକୁ ଠେଲି ଦେଇଥିଲେ। ଏ ତିନି ଭଉଣୀ ଥିଲେ ପ୍ୟାଟ୍ରିଆ, ମିନର୍ଭା ଏବ˚ ମାରିଆ ଟେରିସା। ସେ ଦିନଟି ଥିଲା ୧୯୬୦ ସାଲ ନଭେମ୍ବର ୨୫ ତାରିଖ। (ଏକମାତ୍ର ବଞ୍ଚି ଯାଇଥିବା ଡେଡେ ୨୦୧୪ ଫେବ୍ରୁଆରି ୧ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ)।
ଏହି ଗଣ ନାରୀହତ୍ୟା (ଫେମିସାଇଡ୍) ସେତେବେଳେ ଆନ୍ତର୍ଜାତିକ ସ୍ତରରେ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୧୯୮୧ରେ ନାରୀ ଅଧିକାର ଆନ୍ଦୋଳନ କାରିଣୀମାନେ ନଭେମ୍ବର ୨୫ ତାରିଖକୁ ପ୍ରଥମ କରି ଲିଙ୍ଗ ଭିତ୍ତିକ ହି˚ସାଚରଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ମାରକୀ ଦିବସ ରୂପେ ପାଳନ କଲେ। ଏହାର ୧୨ ବର୍ଷ ପରେ ମିଳିତ ଜାତିସ˚ଘର ସାଧାରଣ ପରିଷଦରେ ‘ନାରୀମାନଙ୍କ ବିରୋଧରେ ହି˚ସାର ବିଲୋପ ସାଧନ ଘୋଷଣାନାମା’ ଗୃହୀତ ହେଲା। ସମସ୍ତ ମନୁଷ୍ୟମାନଙ୍କ ପାଇଁ ଲାଗୁ ହେଉଥିବା ସମାନତା, ନିରାପତ୍ତା, ସ୍ବାଧୀନତା, ସ˚ହତି ଏବ˚ ମର୍ଯ୍ୟାଦାବୋଧ ନିୟମ ଓ ଅଧିକାରମାନ ପୃଥିବୀର ସମସ୍ତ ନାରୀମାନଙ୍କ ପ୍ରତି ମଧୢ ଲାଗୁ ହେବ ବୋଲି ଏହି ଘୋଷଣାନାମାରେ ସ୍ବୀକୃତି ପ୍ରଦାନ କରାଯାଇଥିଲା। ନାରୀମାନେ ସମ୍ମୁଖୀନ ହେଉଥିବା ହି˚ସା ଏହି ଆଦର୍ଶ ବାସ୍ତବତାରେ ପରିଣତ ହେବା ପଥରେ କଠିନ ପ୍ରତିବନ୍ଧ ହୋଇ ଛିଡ଼ା ହୋଇଥାଏ ବୋଲି ଜାତିସ˚ଘ ସ୍ବୀକାର କରିବା ସଙ୍ଗେ ସଙ୍ଗେ ନାରୀ-ବିରୋଧୀ ହି˚ସା ନାରୀ ଓ ପୁରୁଷ ମଧୢରେ ରହିଆସିଥିବା ଶକ୍ତି ବଣ୍ଟନ ସମ୍ପର୍କୀୟ ଐତିହାସିକ ଅସମାନତାର ପରିପ୍ରକାଶ ବୋଲି ଉଦ୍ବେଗ ପ୍ରକାଶ କରିଥିଲା।
୨୦୦୦ ସାଲ ଫେବ୍ରୁଆରି ୭ ତାରିଖ ଦିନ ସେଇ ଜାତିସ˚ଘର ସାଧାରଣ ପରିଷଦ ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିରାବାଲ୍ ଭଗିନୀମାନଙ୍କର ସାହସିକ ସ˚ଗ୍ରାମ ଓ ଆତ୍ମୋତ୍ସର୍ଗକୁ ସ୍ବୀକୃତି ପ୍ରଦାନ ସ୍ବରୂପ ବିଧିବଦ୍ଧ ଭାବରେ ନଭେମ୍ବର ୨୫ ତାରିଖକୁ ‘ନାରୀ-ବିରୋଧୀ ହି˚ସା ବିଲୋପ ପାଇଁ ଆନ୍ତର୍ଜାତିକ ଦିବସ’ (‘ଇଣ୍ଟର୍ନେସନାଲ ଡେ ଫର୍ ଦି ଏଲିମିନେସନ୍ ଅଫ୍ ଭାଓଲେନ୍ସ ଏଗେନ୍ଷ୍ଟ ଵିମେନ୍’) ରୂପେ ଘୋଷଣା କରିଥିଲା।
ଚଳିତ ବର୍ଷ ନଭେମ୍ବର ୨୫ ଦିନ ଓଡ଼ିଶା ବିଧାନସଭାରେ ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଯେଉଁ ଉତ୍ତର ସରକାରଙ୍କ ଠାରୁ ମିଳିଥିଲା, ତାହା ଏହି ଦିବସ ପାଳନ ହେବାର ପ୍ରାୟ ଠିକ୍ ଦୁଇ ଦଶନ୍ଧି ବିତିଯିବା ପରେ ମଧୢ ଏକ ଅତ୍ୟନ୍ତ ବିଷାଦ ଓ ହତାଶାଜନକ ଚିତ୍ର ଅଙ୍କନ କରିଥାଏ। ସମ୍ପୃକ୍ତ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ ଚଳିତ ବର୍ଷର ପ୍ରଥମ ଛ’ମାସରେ ରାଜ୍ୟରେ ୧୧୪୯ଟି ଧର୍ଷଣ ଘଟଣା ଘଟିଛି, ଯେଉଁଥିରୁ ୬୦୪ଟି ଘଟଣାରେ ନାବାଳିକା ମାନେ ଶିକାର ହୋଇଛନ୍ତି। ୨୦୧୮ରେ ପ୍ରକାଶିତ ଶ୍ବେତପତ୍ରକୁ ଭିତ୍ତିକରି ମନ୍ତ୍ରୀ ପୁଣି କହିଥିଲେ ରାଜ୍ୟରେ ପ୍ରତିଦିନ ହାରାହାରି ୬.୮ଟି ଧର୍ଷଣ ଘଟଣା ଦରଜ ହୋଇଥିଲା। ସେ ବର୍ଷ ରାଜ୍ୟରେ ମୋଟ ୨୫୦୨ଟି ଧର୍ଷଣ ଘଟିଥିଲା, ଯେଉଁଥିରେ ନାବାଳିକା ଧର୍ଷିତାଙ୍କ ସ˚ଖ୍ୟା ଥିଲା ୧୪୩୦ ଜଣ। ଏହା ଯେତିକି ଚିନ୍ତାଜନକ, ନେସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋର ସବିଶେଷ ରିପୋର୍ଟରୁ ମିଳିଥିବା ସୂଚନା ତା’ଠାରୁ ଆହୁରି ଅଧିକ ଚିନ୍ତାଜନକ। ଏହା ଅନୁସାରେ ନାରୀମାନଙ୍କ ବିରୋଧରେ ହି˚ସାକାଣ୍ତ ସ˚ଖ୍ୟା ଦୃଷ୍ଟିରୁ ଆସାମ ପରକୁ ୨୦୧୭ରେ ଦେଶରେ ଓଡ଼ିଶାର ସ୍ଥାନ ହେଉଛି ଦ୍ବିତୀୟ (ଯଦିବା ଜନସ˚ଖ୍ୟା ଦୃଷ୍ଟିରୁ ଦେଶରେ ଓଡ଼ିଶାର ସ୍ଥାନ ହେଉଛି ଏକାଦଶ, ଏବ˚ ଯଦିବା ଉତ୍ତରପ୍ରଦେଶ, ହରିଆନା ଭଳି ରାଜ୍ୟ ଜନମାନସରେ ଅଧିକ ନାରୀ-ବିରୋଧୀ ରୂପେ ବିବେଚିତ ହୋଇଥାନ୍ତି।
ଏହି ପରିପ୍ରେକ୍ଷୀରେ ଦେଖିଲେ ଉପରୋକ୍ତ ଜାତିସ˚ଘ ଦିବସ ପାଳନ ଉପଲକ୍ଷେ ‘ଅକ୍ସଫାମ୍ ଇଣ୍ତିଆ’ ପକ୍ଷରୁ ଓଡ଼ିଶାରେ ଆୟୋଜିତ ୧୬ ଦିନ ବ୍ୟାପୀ ଯୁବ ଉତ୍ସବ ଏକ ଔପଚାରିକତା ମାତ୍ର ବୋଲି ଯଦି କାହା ମନରେ ଧାରଣା ସୃଷ୍ଟି ହେଉଥାଏ, ତାହା ଅଯଥାର୍ଥ ନୁହେଁ। ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୧ ଠାରୁ ନଭେମ୍ବର ୨୫ ତାରିଖକୁ ମଧୢ ଏ ଯାବତ୍ ପୃଥିବୀର ପ୍ରାୟ ୬୦ଟି ଦେଶରେ ‘ହ୍ବାଇଟ୍ ରିବନ୍ ଡେ’ (ଧଳା ରିବନ୍ ଦିବସ) ରୂପେ ପାଳନ କରାଯାଉଛି। ଏଥିରେ ଭାଗ ନେଉଥିବା ପୁରୁଷମାନେ ସେଦିନ ନାରୀମାନଙ୍କ ପ୍ରତି କେବେହେଲେ ହି˚ସାଚରଣ କରିବେ ନାହିଁ ବୋଲି ଶପଥ ନେଇ ଧଳା ରିବନ୍ ପିନ୍ଧିଥାନ୍ତି। ଯଦି ଏହି ୧୬ ଦିନର ଉତ୍ସବ ପାଳନ ଅବସରରେ ଆୟୋଜକ ଓ କର୍ମୀମାନେ ମିଶି ଓଡ଼ିଶାର ସମସ୍ତ ପୁରୁଷମାନଙ୍କୁ ଧଳା ରିବନ୍ ପିନ୍ଧାଇ ଦେଇପାରନ୍ତେ, ତେବେ ଓଡ଼ିଶାରେ ନାରୀମାନେ ବୋଧହୁଏ ଅଧିକ ସୁରକ୍ଷିତ ରହିପାରନ୍ତେ।