ଚତୁର୍ଥ ଦିନରେ ମାନ୍ଦା ପଡ଼ିଲା ‘ଆଦିପୁରୁଷ’ର ଆୟ : ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟାର ପଡ଼ିଛି ପ୍ରଭାବ

ମୁମ୍ବାଇ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ସାରା ଦେଶରେ ଏବେ ହେଡଲାଇନ୍ ‌ସୃଷ୍ଟି କରିଛି। ଚଳଚ୍ଚିତ୍ରର ଡାଏଲଗଠାରୁ ଆରମ୍ଭ କରି କଷ୍ଟ୍ୟୁମ୍ ପର୍ଯ୍ୟନ୍ତ ସବୁ କିଛି ସମାଲୋଚିତ ହେଉଛି। ଏହି ଚଳଚ୍ଚିତ୍ରରେ ଅଭିନେତା ପ୍ରଭାସ ରାଘବ, କ୍ରିତି ସାନନ୍ ଜାନକୀ  ଏବଂ ସୈଫ୍‌ ଅଲୀ ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଏହାର ବକ୍ସ ଅଫିସ୍ କଲେକ୍ସନକୁ ନେଇ ଆଲୋଚନା କରିବାର ଏବେ ସମୟ ଆସିିିଛି। ପ୍ରଥମ ସପ୍ତାହରେ ଭଲ ସ୍କୋର କରିବା ପରେ, ସୋମବାର ଦିନ ବେପାର ମାନ୍ଦା ହୋଇଛି।

ଚଳଚ୍ଚିତ୍ରଟି ଭାରତୀୟ ମହାକାବ୍ୟ ରାମାୟଣ ଉପରେ ଆଧାରିତ ହୋଇଥିବା ବେଳେ  ଏହା ୨୦୨୩ ମସିହାର ବହୁ ପ୍ରତୀକ୍ଷିତ ରିଲିଜ୍ ମଧ୍ୟରୁ ଅନ୍ୟତମ ଚଳଚ୍ଚିତ୍ର। ଏହାକୁ ନେଇ ଦର୍ଶକ ଓ ସମାଲୋଚକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଏଥିରେ ବ୍ୟବହୃତ ଭାଷା ଓ ସଂଳାପ ଲଜ୍ଜାଜନକ ବୋଲି ଅଭିଯୋଗ ବି ହୋଇଛି। ଏଣୁ ପ୍ରଯୋଜନା ସଂସ୍ଥା ଏହାର ସଂଳାପ ବଦଲାଇବାକୁ ବାହାରିଲେଣି।

ସିନେମାଟି ରିଲିଜ୍‌ ହେବାର ତୃତୀୟ ଦିନ ପର୍ଯ୍ୟନ୍ତ ବହୁତ ଭଲ ଆୟ କରିଥିବା ବେ‌ଳେ ୪ର୍ଥ ଦିନରେ ଏହା ମାଡ଼ ଖାଇଯାଇଛି। ସୋମବାର ଦିନ ‘ଆଦିପୁରୁଷ’ ସମସ୍ତ ଭାଷାରେ ମାତ୍ର ୨୦-୨୨ କୋଟି ରୋଜଗାର କରିଥିବା ସୂଚନା ରହିଛି, ଯାହାକି ରବିବାର ଦିନ ହୋଇଥିବା ୬୯ କୋଟିର ଆୟ ତୁଳନାରେ ଖୁବ୍‌ କମ୍‌।

ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଫିଲ୍ମଟି ରିଲିଜ୍‌ ହେବା ପରେ ଦର୍ଶକମାନଙ୍କ ନକାରାତ୍ମକ ପ୍ରତିକ୍ରିୟା ଏହା ଉପରେ ବେଶ୍‌ ପ୍ରଭାବ ପକାଇଛି। ଏବେ ସୁଦ୍ଧା ସମସ୍ତ ଦିନର ଆୟକୁ ମିଶାଇଲେ ‘ଆଦିପୁରୁଷ’ ସମସ୍ତ ଭାଷାରେ ୨୪୦-୨୪୨ କୋଟିର ଆୟ କରିଛି।

ସମ୍ବନ୍ଧିତ ଖବର