ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ସିନେମା

ମଡେଲିଂ ଏବଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସଫଳ ହେବା ପରେ ଏବେ ତାଙ୍କୁ ମିଳିଛି ବଡ଼ ପରଦାରେ ନାୟିକା ହେବାର ସୁଯୋଗ। ଆଗରୁ କେବେ କେଉଁଠି ଅଭିନୟ କରି ନଥିବା ଅୟନା ରାଉତରାୟ ଓଲିଉଡ୍‌ ନାୟିକା ବନିବାକୁ ଯାଉଛନ୍ତି। ସେ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲାଇଫ୍ ପାର୍ଟନର୍’ରେ ଅନ୍ୟତମ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାରେ ତାଙ୍କୁ ନାୟକ ଦୁଷ୍ମନ୍ତଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

ମଡେଲିଂ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅୟନା ଏବେ ସିନେଜଗତରେ କ୍ୟାରିଅର୍ ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଏକ ସିନେମାରେ ଦେଖିବାକୁ ମିଳିବ। ଅୟନାଙ୍କ ସଂପର୍କରେ ସଂକ୍ଷିପ୍ତ ସୂଚନା।

ନବାଗତା ଅୟନାଙ୍କୁ କିପରି ଏହି ସିନେମା ମିଳିଲା? ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ମୋର ମଡେଲିଂ ଫଟୋ ଦେଖିବା ପରେ ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍‌ଟରୁ ଫୋନ୍ ଆସିଥିଲା। ‘ଲାଇଫ୍ ପାର୍ଟନର୍’ ସିନେମାର ଅଫର୍ ଦିଆଯାଇଥିଲା। ମୁଁ ବିଦିଶା କ୍ରାଫ୍‌ଟ ଅଫିସରେ ପହଞ୍ଚି ଅଡିସନ୍ ଦେଲି। ସେଠାରେ ପ୍ରଯୋଜକ ବିଜୟ କନ୍ଦୋଇ ଓ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି ମୋର ଅଭିନୟ ଦକ୍ଷତା ପରଖିଥିଲେ। ବାସ୍ ତା’ପରେ ସିନେମା ‘ଲାଇଫ୍ ପାର୍ଟନର୍’ରେ ଅନ୍ୟତମ ନାୟିକା ଭୂମିକା ଲାଗି ଚୁକ୍ତିବଦ୍ଧ ହୋଇଥିଲି।

ଉଲ୍ଲେଖଯୋଗ୍ୟ, ଅୟନା ୨୦୨୨ରେ କେରଳରେ ‘ମିସ୍ ଟିନ୍ ସୁପରଗ୍ଲୋବ୍’, ‘ନହ୍ନି ପରୀ’ ମିସ୍ ଇଣ୍ଡିଆ ବିଜୟିନୀ ଏବଂ ସିଦ୍ଧାର୍ଥ ଟିଭିର ଶ୍ରେଷ୍ଠ ଓଡ଼ିଆଣୀ ସୋ’ର ବିଜେତା ହୋଇଥିଲେ। ସେ ସାଇକୋଲୋଜିର ଜଣେ ଛାତ୍ରୀ ଭାବେ ସଂପ୍ରତି ଅଧ୍ୟୟନରତ। ମେଧାବୀ ଛାତ୍ରୀ ଅୟନା ଯେଉଁ ବୃତ୍ତିରେ ଗଲେ ବି ଅଭିନୟ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର