ଅମରନାଥ ଯାତ୍ରା: ପ୍ରଥମ ଦିନରେ ଦର୍ଶନ କଲେ ୧୩ ହଜାର

ଶ୍ରୀନଗର: ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଅମରନାଥ ପୀଠକୁ ୫୨ ଦିନିଆ ଯାତ୍ରା ଆରମ୍ଭ ହୋଇଛି। ଚଳିତ ବର୍ଷ ମୋଟ ୩ଲକ୍ଷ ୫୦ ହଜାର ଭକ୍ତ ଅମରନାଥଙ୍କ ଦର୍ଶନ ନିମନ୍ତେ ଆବେଦନ କରିଥିଲେ। ପ୍ରଥମ ଦିନରେ ପ୍ରାୟ ୧୩ହଜାର ଭକ୍ତ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀଅମରନାଥଜୀ ପୀଠ ବୋର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୩୮୮୦ ମିଟର ଉଚ୍ଚ ଅମରନାଥ ପୀଠକୁ ବୈତାଳ ଓ ନୁନତାନ ଦୁଇ ମୂଳ କ୍ୟାମ୍ପ ଠାରୁ ଦୁଇ ଭିନ୍ନ ରାସ୍ତାରେ ଯାତ୍ରା ଆରମ୍ଭ ହୋଇଥିଲା। ଦୁଇଟି ରାସ୍ତାରେ ଭକ୍ତଙ୍କ ସହଯୋଗ ନିମନ୍ତେ ୬ହଜାର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଶନିବାର ସୁଦ୍ଧା ୧୩ହଜାର ୭୩୬ଜଣ ଭକ୍ତ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି।

ଏହି ଯାତ୍ରାରେ ୩୩୦୦ ଜଣ ମହିଳା, ୫୨ଜଣ ଶିଶୁ, ୧୦୨ଜଣ ସାଧୁ ଥିବା ବେଳେ ୬୮୨ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ଭକ୍ତଙ୍କ ନିମନ୍ତେ ୧୨୫ଟି ଗୋଷ୍ଠୀ ରୋଷେଇ ଘର ପ୍ରତିଷ୍ଠା କରାଯାଇଛି। ଅମରନାଥ ପୀଠ ନିକଟରେ ଓଏନ୍‌ଜିସି ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି ଅସ୍ଥାୟୀ ହସ୍‌ପିଟାଲ୍‌ ସ୍ଥାପନ କରାଯାଇଛି। ଆଜିର ପ୍ରଥମ ଦର୍ଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟରେ ଭକ୍ତଙ୍କ ନିମନ୍ତେ ଭଗବାନ ଶିବ ବାବା ବରଫାନୀ (ଅମରାନଥ)ଙ୍କ ଆଶୀର୍ବାଦ କାମନା କରିଛନ୍ତି।

ସୂଚନାଯାଗ୍ୟ ଶୁକ୍ରବାର ଜମ୍ମୁର ଭଗବତୀନଗର କ୍ୟାମ୍ପ୍‌ ଠାରେ ଉପରାଜ୍ୟପାଳ ମନୋଜ ସିହ୍ନା ୪୬୦୩ଜଣ ଭକ୍ତଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ କରିଥିଲା। ଗତବର୍ଷ ଅମରନାଥ ଯାତ୍ରାର ମୋଟ ୪ଲକ୍ଷ ୫୦ ହଜାର ଭକ୍ତ ବାବା ଅମରନାଥଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର