ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଆଜି ବାଇଡେନ୍‌-ଟ୍ରମ୍ପ୍‌ ପ୍ରଥମ ବିତର୍କ

ୱାସିଂଟନ୍‌: ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ ‌ରହିଛି। ଏହି ପ୍ରକ୍ରିୟାରେ, ଜୁନ୍‌ ୨୭ ତାରିଖ, ରାତି ୯ଟା (ଭାରତୀୟ ସମୟ- ଜୁନ୍‌ ୨୮, ସକାଳ ୬ଟ ୩୦)ରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଓ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚଳିତ ନିର୍ବାଚନର ପ୍ରଥମ ‘ରାଷ୍ଟ୍ରପତି ବିତର୍କ’ ଅନୁଷ୍ଠିତ ହେବ। ବହୁ ପ୍ରତିକ୍ଷିତ ଏହି ବିତର୍କ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହା ସହ ପ୍ରଥମ ଥର ନିମନ୍ତେ ବିନା ଦର୍ଶକ, ବିନା କୌଣସି ଲେଖାରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଅନୁଷ୍ଠିତ ହେବ। ବିଶ୍ବର ଅନ୍ୟତମ ଜଣାଶୁଣା ଟେଲିଭିଜନ୍‌ ଚାନେଲ୍‌ ସିଏନ୍‌ଏନ୍‌ ଦ୍ବାରା ଆୟୋଜିତ ଏହି ବିତର୍କ ଜର୍ଜିଆର ଆଟଲାଣ୍ଟା ଠାରେ ଅନୁଷ୍ଠିତ ହେବ। ବିତର୍କର ସମୟସୀମା ୯୦ ମିନିଟ ରହିଛି।

ଏହି ବିତର୍କରେ, ଉଭୟ ଟ୍ରମ୍ପ୍‌ କିମ୍ବା ବାଇଡେନ୍‌ କୌଣସି ପୂର୍ବଲିଖିତ ଚିଠା କିମ୍ବା ଆଲେଖ୍ୟର ସହାୟତା ନେବେନାହିଁ। ଷ୍ଟୁଡିଓ ମଧ୍ୟରେ କ୍ୟାମେରା ସମ୍ମୁଖରେ ବିତର୍କ ହେଉଥିବାରୁ ବିନା ପ୍ରତ୍ୟକ୍ଷ ଦର୍ଶକରେ ଏହା ଅନୁଷ୍ଠିତ ହେବ। ଏହି ବିତର୍କ ଜରିଆରେ ନିଜ ଉପରେ ଲାଗିଥିବା ସ୍ବାସ୍ଥ୍ୟ ଓ ମାନସିକ ଅବନତିର ଅଭିଯୋଗ ଭୁଲ ବୋଲି ପ୍ରମାଣିତ କରିବା ସୁଯୋଗ ୮୧ ବର୍ଷୀୟ ବାଇଡେନ୍‌ଙ୍କୁ ମିଳିବ। ଅପରପକ୍ଷରେ, ଟ୍ରମ୍ପ୍‌ ମଧ୍ୟ ନିଜ ଉପରେ ଚାଲିଥିବା ସମସ୍ତ ମାମଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ରାଜନୈତିକ ବୋଲି ପ୍ରମାଣିତ କରିବାର ସୁଯୋଗ ପାଇବେ। ଏହି ବିତର୍କର ପ୍ରଭାବ ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନର ମତଦାନ ଯାଏଁ ବଳବତ୍ତର ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର