ଟ୍ରମ୍ପ୍‌ଙ୍କ ସହ ବିତର୍କରେ ବାଇଡେନ୍‌ଙ୍କ ଚିନ୍ତାଜନକ ପ୍ରଦର୍ଶନ: ବିକଳ୍ପ ପ୍ରାର୍ଥୀ ଖୋଜିବାକୁ ଡେମୋକ୍ରାଟ୍‌ସଙ୍କ ଦାବି

ୱାସିଂଟନ୍‌: ନଭେମ୍ବର ୫ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ହେବ। ନିର୍ବାଚନରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଇଦାନରେ ଅଛନ୍ତି। ତାଙ୍କ ବିପକ୍ଷରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ କରିବାକୁ ଡେମୋକ୍ରାଟ ଦଳ ଯୋଜନା କରିଛି। ଆଜି ସିଏନ୍‌ଏନ୍‌ ପକ୍ଷରୁ ପ୍ରଥମ ରାଷ୍ଟ୍ରପତି ବିତର୍କ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଇଡେନ୍‌ଙ୍କ ଦୁର୍ବଳ ଉପସ୍ଥାପନା ତଥା ପ୍ରଦର୍ଶନକୁ ନେଇ ଦେଶରେ ହଇଚଇ ସୃଷ୍ଟି‌ ହୋଇଛି। ନିର୍ବାଚନରେ ଦଳର ବିଜୟ‌ ନେଇ ଡେମୋକ୍ରାଟ୍‌ ଦଳର ସଦସ୍ୟମାନେ ଆଶଙ୍କା ପ୍ରକଟ କରିଛନ୍ତି। ଆଜି ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ସାଢ଼େ ୬ଟା (ଭାରତୀୟ ସମୟ)ରେ ଜର୍ଜିଆ ଆଟଲାଣ୍ଟାର ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନଲୋଜିର ମ୍ୟାକ୍‌ କାମିସ୍‌ ସଭା କକ୍ଷରେ ବିତର୍କ ଅନୁଷ୍ଠିତ ହୋଇଥିଲା।

୯୦ ମିନିଟ୍‌ ବିତର୍କରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ନିଜର ଶାସନକାଳର ଉପଲବ୍ଧି ସମ୍ପର୍କରେ ପ୍ରଭାବଶାଳୀ ଉପସ୍ଥାପନ କରିବାରେ ସେ ବିଫଳ ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ଉଠିଥିବା ଅନେକ ଅଭିଯୋଗକୁ ଭୁଲ ସାବ୍ୟସ୍ତ କରିବାକୁ ଏହି ବତର୍କ ଏକ ପ୍ରକୃଷ୍ଟ ମାଧ୍ୟମ ଥିଲା, କିନ୍ତୁ ବାଇଡେନ୍‌ଙ୍କ ଦୁର୍ବଳ ଉପସ୍ଥାପନା ଡେମୋକ୍ରାଟ୍‌ ଦଳର ସମସ୍ତ ଆଶାକୁ ପାଣିରେ ମିଳାଇ ଦେଇଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ୬ ଜାନୁଆରି ୨୦୨୧ରେ କ୍ୟାପିଟଲ ଦଙ୍ଗାରେ ନିଜର ଭୂମିକା ନେଇ ବିତର୍କରେ କୌଣସି ସନ୍ତୋଷଜନକ ସଫେଇ ଦେଇପାରିନଥିଲେ। କେବଳ ଏହାନୁହେଁ, ଅର୍ଥନୀତି ଓ ବେଆଇନ ଆପ୍ରବାସନ ନେଇ ମଧ୍ୟ ତାଙ୍କର ମତ ସ୍ପଷ୍ଟ ହୋଇପାରିନଥିଲା। ଏହାସତ୍ବେ ଟ୍ରମ୍ପ୍‌ ନିଜକୁ ବାଇଡେନ୍‌ଙ୍କ ତୁଳନାରେ ଅଧିକ ‘ସୁସ୍ଥ’ ଓ ‘ଯୋଗ୍ୟ’ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି।
ସକାଳେ ପ୍ରକାଶିତ ଅନେକ ଖବରକାଗଜ ‘ଡେମୋକ୍ରାଟିକ୍‌ ବିପର୍ଯ୍ୟୟ’ ଭଳି ପ୍ରମୁଖ ଶିରୋନାମା‌ରେ ଖବର ପରିବେଷଣ କରିଥିବା ଦେଖିବାକୁ ମିଳିଛି। ଡେମୋକ୍ରାଟ୍‌ ଦଳର ତିନି ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଘନିଷ୍ଠ ରାଜନୈତିକ ଉପଦେଷ୍ଟାଙ୍କ କହିବାନୁସାରେ, ବିତର୍କ ସମୟ ମଧ୍ୟରେ ସେମାନଙ୍କ ନିକଟକୁ ହଜାର ହଜାର ମେସେଜ୍‌ ଆସିଥିଲା। ଏହାମଧ୍ୟରୁ ଅନେକ ବାଇଡେନ୍‌ଙ୍କୁ ପରବିର୍ତ୍ତନ କରି ବିକଳ୍ପ ପ୍ରାର୍ଥୀ ଚୟନ କରିବାକୁ ମତ ଦେଇଥିଲେ। ସେହିଭଳି ଅନେକ ରାଜନୈତିକ ପାଣ୍ଠିଦାତା ମଧ୍ୟ ବାଇଡେନ୍‌ଙ୍କ ବିତର୍କ ପ୍ରଦର୍ଶନ ନେଇ ନୈରାଶ୍ୟ ପ୍ରକଟ କରିଛନ୍ତି ଏବଂ ଏହା ଏକ ଫସିଯିବା ଭଳି ଘଟଣା ବୋଲି ମତ ଦେଇଛନ୍ତି। ବାଇଡେନ୍‌ଙ୍କ ବିକଳ୍ପ ପ୍ରାର୍ଥୀ ହିଁ ଦଳ ପାଇଁ ବିଜୟ ଆଣିବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର