ଦିଲ୍ଲୀ ବିମାନବନ୍ଦର‌ ଛାତ ଭୁଶୁଡ଼ିଲା: ଜଣେ ମୃତ ୬ ଆହତ, ତଦନ୍ତ ପାଇଁ କମିଟି ଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଆଜି ଟର୍ମିନାଲ-୧ ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବିଶ୍ବର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ୍‌-୧ର ଏକ ଅଂଶ ଆଜି ଭୁଶୁଡ଼ି ପଡ଼ିଥିଲା ଏବଂ ଏହା ସିଧା ପାର୍କିଂ ହୋଇଥିବା କିଛି କାର୍‌ ଉପରେ ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ‌ହୋଇଛି ଏବଂ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏଥିସହ ୪ଟି କାର୍‌ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଉକ୍ତ ଘଟଣା ପ‌ରେ ଟର୍ମିନାଲ-୧ରୁ ଅନେକ ବିମାନ ବାତିଲ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ଟର୍ମିନାଲ-୧ରୁ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ କରାଯାଇଛି। ତେବେ ଅପରାହ୍ନ ୨ଟା ପରେ ଟର୍ମିନାଲ-୧ରୁ ଯେଉଁ ବିମାନ ଉଡ଼ାଣ କରିବାର ଥିଲା ତାହା ଟର୍ମିନାଲ୍‌ ୨ ଏବଂ ୩ରୁ ଉଡ଼ାଣ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡ଼ୁ ଏକ ବିବୃତି ଜାରିକରି କହିଛନ୍ତି।

ମନ୍ତ୍ରୀ ନାଇଡ଼ୁ କହିଛନ୍ତି, ଛାତ ଭୁଶୁଡ଼ିବା ଘଟଣା ପରେ ମୁଁ ଘଟଣାସ୍ଥଳକୁ ଯାଇଥିଲି ଏବଂ ସ୍ଥିତି ଭଲଭାବେ ଯାଞ୍ଚ କରିଛି। ଆମର ପ୍ରଥମ ଗୁରୁତ୍ବ ଥିଲା ଟର୍ମିନାଲରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା। ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଗଲା। ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ୍‌ ଅର୍ଥ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ କିମ୍ବା ସେମାନେ ଅନ୍ୟ ବିମାନରେ ଉଡ଼ାଣ ପାଇଁ ପୁଣିଥରେ ବୁକ୍‌ କରିପାରିବେ। ମନ୍ତ୍ରୀ କହିଛନ୍ତି, ସୁରକ୍ଷା ସୁନିଶ୍ଚିତ କରିବାପାଇଁ ବିଶେଷଜ୍ଞଙ୍କ ଦ୍ବାରା ଟର୍ମିନାଲକୁ ଟିକିନିଖି ଯାଞ୍ଚ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସବୁ କାମ ଯୁଦ୍ଧସ୍ତରରେ ଚାଲିଛି। ଦିଲ୍ଲୀ ବିମାନବନ୍ଦରରେ ସ୍ଥିତି ଯାଞ୍ଚ କରିବାପରେ ମନ୍ତ୍ରୀ ନାଇଡ଼ୁ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ମୃତକଙ୍କ ପରିବାର ସଦସ୍ୟଙ୍କୁ ୨୦ ଲକ୍ଷ ଏବଂ ଆହତମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି।

ଅନ୍ୟପକ୍ଷେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଛାତ ଭୁଶୁଡ଼ିବାର କାରଣ କ’ଣ ଜଣାପଡ଼ିନି। ଏନେଇ ତଦନ୍ତ ଆରମ୍ଭ ହୋଇଥିଲେ ସୁଦ୍ଧା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପ୍ରବଳ ବର୍ଷା ଯୋଗୁଁ ଛାତ ଭୁଶୁଡ଼ି ପଡ଼ିଛି।

୨୦୦୯‌ରେ ଉଦ୍‌ଘାଟନ ହୋଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଆଜି ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ-୧ର ଏକ ଛାତ ଭୁଶୁଡ଼ି ପଡ଼ିଛି। ଉକ୍ତ ଘଟଣା ପାଇଁ ଆଜି ଶାସକ ଦଳ ବିଜେପି ଏବଂ ବିରୋଧୀ ପରସ୍ପରକୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଆଜି ଯେଉଁ ଛାତର କିଛି ଅଂଶ ଭୁଶୁଡ଼ିଛି ତାହା ମାର୍ଚ୍ଚ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ଉକ୍ତ ପ୍ରସଙ୍ଗ‌‌ରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଭୁଶୁଡ଼ି ପଡ଼ିଥିବା କ୍ୟାନୋପି ପୁରୁଣା ନିର୍ମାଣର ଏକ ଅଂଶ ଏବଂ ଏହା ୨୦୦୯ରେ ଉଦଘାଟନ ହୋଇଥିଲା। ମନ୍ତ୍ରୀ କହିଛନ୍ତି, ଉକ୍ତ ଘଟଣାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିଲ୍ଡିଂ ଉଦ୍‌ଘାଟନ କରିଥିଲେ ତାହା ବିପରୀତ ପାର୍ଶ୍ବରେ ରହିଛି ଏବଂ ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଯେଉଁ କ୍ୟାନୋପି ଭୁଶୁଡ଼ି ପଡ଼ିଛି ତାହା ୨୦୦୯ରେ ଖୋଲାଯାଇଥିଲା ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର