ଦିଲ୍ଲୀ-ଏନ୍‌ସିଆର୍ ଜଳମଗ୍ନ: ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳେ ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହେବା ସହ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ହୋଇଛି, ଯାହା କି ୧୯୩୬ ପରଠାରୁ ଜୁନ୍ ମାସରେ ସର୍ବାଧିକ ଦୈନିକ ବର୍ଷା। ୧୯୩୬ରେ ଗୋଟିଏ ଦିନରେ ୨୩୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସାଧାରଣତଃ ଜୁନ୍ ମାସରେ ଦିଲ୍ଲୀରେ ହାରାହାରି ୮୦.୬ ମିଲିମିଟର ବର୍ଷା ହୋଇଥାଏ।

ଏହି ବନ୍ୟା ଯୋଗୁଁ ଦିଲ୍ଲୀ-ଏନ୍‌ସିଆର୍‌ର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଘୋର ଜଳବନ୍ଦୀ ଓ ଟ୍ରାଫିକ୍ ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଷା ଯୋଗୁଁ ଗତ ଦୁଇ ମାସର ପ୍ରବଳ ଗରମରୁ ତ୍ରାହି ମିଳିଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୨୪.୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୩.୨ ଡିଗ୍ରି କମ୍। ଏହି ଅଭୂତପୂର୍ବ ବର୍ଷା ସହରର ଭିତ୍ତିଭୂମିରେ ଥିବା ତ୍ରୁଟିକୁ ଦର୍ଶାଇଛି। ଜୁନ୍ ୧୮ରେ ଦିଲ୍ଲୀ ମେୟର ଶେଲି ଓବରୟ ମୌସୁମୀ ପାଇଁ ସହର ପ୍ରସ୍ତୁତ ବୋଲି ଦାବି କରିଥିଲେ ମଧ୍ୟ ମାତ୍ର ଗୋଟିଏ ଦିନର ବର୍ଷା ଦିଲ୍ଲୀ କେତେ ପ୍ରସ୍ତୁତ ତାହା ଜଣାଇଦେଇଛି।

ଆଇଟିଓ ଭଳି ପ୍ରମୁଖ ଛକରେ ପ୍ରାୟ ୨ରୁ ୩ ଫୁଟ ପାଣି ଜମା ହେବା ଫଳରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଥିଲା। ମଣ୍ଡି ହାଉସକୁ ଯାଉଥିବା ରାସ୍ତାର ହନୁମାନ ମନ୍ଦିର ଛକ ୩ ଫୁଟ ପାଣିରେ ବୁଡିଯିବାରୁ ଅଶୋକ ରୋଡ୍, ଫିରୋଜ ଶାହା ରୋଡ୍‌ ଓ କନ୍ନଟପ୍ଲେସରେ ରାସ୍ତା ବନ୍ଦ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୂଳଚାନ୍ଦ ଓ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ନଏଡାରେ ମଧ୍ୟ ସ୍ଥିତି ସମାନ ଭାବେ ଗମ୍ଭୀର। ଗୁରୁବାର ନଏଡା କର୍ତ୍ତୃପକ୍ଷ ସିଇଓ ଓ ଅଧିକାରୀଙ୍କ ଯାଞ୍ଚ ସତ୍ତ୍ୱେ ବର୍ଷା ଯୋଗୁଁ ମହାମାୟା ଫ୍ଲାଏଓଭର, ସେକ୍ଟର ୬୨ ଏବଂ ସେକ୍ଟର ୧୫ ଓ ୧୬ ସମେତ ଅନେକ ଅଞ୍ଚଳରେ ଭୀଷଣ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର