ଇଣ୍ଡି ମେଣ୍ଟକୁ ନିମନ୍ତ୍ରଣ ମିଳିନାହିଁ: କଂଗ୍ରେସ

ଶୁଭ କାମନା ଜଣାଇବି ନାହିଁ: ମମତା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର କହିଛନ୍ତି ଯେ ରବିବାର ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଦଳକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। ଶପଥ ଗ୍ରହଣ ସମାରୋହ ପାଇଁ ଅନ୍ତର୍ଜାତୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆମ ନେତାମାନେ ଏପର୍ଯ୍ୟନ୍ତ ନିମନ୍ତ୍ରଣ ଗ୍ରହଣ କରିନାହାଁନ୍ତି । ଯେତେବେଳେ ଆମେ ଏନ୍‌ଡିଏ ମେଣ୍ଟର ନିମନ୍ତ୍ରଣ ପାଇବୁ, ଆମେ ଏହା ବିଷୟରେ ଚିନ୍ତା କରିବୁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ପୂର୍ବରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ରମେଶ ଦାବି କରିଥିଲେ ଯେ ନିକଟରେ ହୋଇଥିବା ଲୋକସଭା ନିର୍ବାଚନର ଫଳାଫଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ନୈତିକ, ରାଜନୈତିକ ଏବଂ ବ୍ୟକ୍ତିଗତ’ ଝଟକା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସରକାର ଗଠନ ପାଇଁ ଏକ ଅସାମ୍ବିଧାନିକ, ବେଆଇନ ଦଳକୁ ମୁଁ ଶୁଭ କାମନା ଜଣାଇବି ନାହିଁ। ଦେଶ ପାଇଁ ମୋର ଶୁଭେଚ୍ଛା ରହିବ। ମୁଁ ସମସ୍ତ ସାଂସଦଙ୍କୁ କହିବି ଯେ ସେମାନେ ନିଜ ଦଳକୁ ମଜବୁତ କରନ୍ତୁ। ଏନ୍‌ଡିଏ ମେଣ୍ଟର ସାଂସଦମାନେ ଖୁସି ନାହାନ୍ତି ଏବଂ ବିଭିନ୍ନ ଦଳରେ ବିଭାଜନ ହୋଇପାରେ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ଇଣ୍ଡି ମେଣ୍ଟ ଏଥର ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ପାଇନଥିବା ବେଳେ ଏନ୍‌ଡିଏ ମେଣ୍ଟକୁ ସରକାର ଗଠନରୁ ରୋକିବା ପାଇଁ ଅସମର୍ଥ ହୋଇଛି। ଜବାହରଲାଲ ନେହରୁଙ୍କ ପରେ ନରେନ୍ଦ୍ର ମୋଦୀ ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର