‘ପ୍ରଶ୍ନପତ୍ର ବକ୍ସ’ର ଡିଜି ଲକ୍ ଖରାପ: ପୁଲିସ

ପାଟନା: ନିଟ୍ ଓ ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ବିହାର ପୁଲିସର ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) କହିଛି ଯେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ନିଟ୍-ୟୁଜି ପ୍ରଶ୍ନପତ୍ର ବକ୍ସର ଡିଜିଟାଲ୍ ଲକ୍ ଖରାପ ହୋଇଯାଇଥିବାରୁ ଏହାକୁ ମାନୁଆଲ ପ୍ରକ୍ରିୟାରେ ଖୋଲାଯାଇଥିଲା ଏବଂ ଏଥିପାଇଁ ବିଳମ୍ବ ହୋଇଥିଲା। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଡିଜିଟାଲ ଲକ୍ ସ୍ବାଭାବିକ ଭାବେ ଖୋଲିବା କଥା। କିନ୍ତୁ ଅନେକ କେନ୍ଦ୍ରରେ ଡିଜିଟାଲ ଲକ୍ ଫେଲ୍ ହେବାରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନରେ ବିଳମ୍ବ ହୋଇଥିଲା।

ସମୟହାନି କ୍ଷତି ଭରଣା ପଦକ୍ଷେପ ସ୍ୱରୂପ ଏନ୍‌ଟିଏ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରିଥିଲା। ଏହା ଫଳରେ ନିଟ୍ ଇତିହାସରେ ଅଭୂତପୂର୍ବ ସଂଖ୍ୟାରେ ୬୭ ଜଣ ଟପର୍ ହୋଇଥିଲେ। ଡିଜିଟାଲ ଲକ୍ ଫେଲ୍ ହେବାର ସିଧାସଳଖ ପରିଣାମ ଏହି ବିଳମ୍ବ ବୋଲି ଇଓୟୁ ତଦନ୍ତରୁ ଜଣାପଡ଼ିଛି। ବିଳମ୍ବ ଯୋଗୁଁ ହରିୟାଣାର ବାହାଦୁରଗଡ଼ର ତିନୋଟି କେନ୍ଦ୍ର- ବିଜୟା ସ୍କୁଲ, ଏସଆର ସେଞ୍ଚୁରି ସ୍କୁଲ ଓ ହରଦୟାଲ ପବ୍ଲିକ ସ୍କୁଲରେ ତରବରିଆ ଭାବେ ଦୁଇଟି ସେଟ୍ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଏହି ବିଦ୍ୟାଳୟଗୁଡ଼ିକର ମ୍ୟାନେଜମେଣ୍ଟ ଦୁଇଟି ପ୍ରଶ୍ନପତ୍ର ବଣ୍ଟନକୁ ନିଶ୍ଚିତ କରିଥିବା ବେଳେ ପରେ ଗୋଟିଏ ସେଟ୍ ପ୍ରତ୍ୟାହାର କରାଯାଇଥିବା ସେମାନେ ଉଲ୍ଲେଖ କରିଛନ୍ତି। ତେବେ କେଉଁ ସ୍କୁଲରେ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ମିଳିଥିବା ବେଳେ ଆଉଁ କେଉଠି ମିଳିନଥିଲା।

ଏନ୍‌ଟିଏର ବ୍ୟବସ୍ଥା ଅନୁଯାୟୀ ମାନୁଆଲ ଅନ୍‌‌ବକ୍ସିଂରେ ଦୁଇଟି ଲକ୍ ରହିଛି। ଗୋଟିଏ ଏନ୍‌ଟିଏର କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କ ପାଖରେ ରହିଥିବା ବେଳେ ଅନ୍ୟଟି ସେଣ୍ଟର ଅଧୀକ୍ଷକଙ୍କ ପାଖରେ ରହିଥିଲା। ଏହି ପ୍ରକ୍ରିୟାର ଏନ୍‌ଟିଏ ଦ୍ୱାରା ଭିଡିଓ ରେକର୍ଡ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି, ଡିଜିଟାଲ ଲକ୍ କାହିଁକି ଆଶାନୁରୂପ କାମ କରିପାରିଲା ନାହିଁ? ଏହାର ଜବାବରେ ଇଓୟୁ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଛି। ଏହାପରେ ଏନ୍‌ଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ହଟାଇ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରଦୀପ ସିଂହ ଖରୋଲାଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର