ଏନ୍‌କାଉଣ୍ଟର୍‌: ଜଣେ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆ ଏବଂ ଡୋଡ଼ାରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। କଠୁଆ ଜିଲ୍ଲା ଅଧୀନସ୍ଥ ଏକ ଗ୍ରାମରେ ଗତକାଲି ସନ୍ଧ୍ୟାରେ ୨ ଜଣ ଆତଙ୍କବାଦୀ ଘରକୁ ଘର ବୁଲି ପାଣି ପିଇବାପାଇଁ ମାଗିଥିଲେ। କିନ୍ତୁ ସତର୍କ ନାଗରିକ କୌଣସି ସହାୟତା ନଦେଇ ପୁଲିସକୁ ସୂଚିତ କରିଥିଲେ। ଜମ୍ମୁ ଜୋନ୍‌ ଅତିରିକ୍ତ ଡିଜିପି ଆନନ୍ଦ ଜୈନ କହିଛନ୍ତି, ଆତଙ୍କବାଦୀଙ୍କୁ ପ୍ରଥମେ ହୀରା ନଗରର ସାଇଦା ସୁଖଲ ଗ୍ରାମରେ ଦେଖିବାକୁ ମିଳିଥିଲା। ସେମାନେ କେତେକ ଘରେ ପିଇବାକୁ ପାଣି ମାଗିଥିଲେ। କିନ୍ତୁ ଲୋକମାନେ କୌଣସି ସହାୟତା କରିନଥିଲେ। ଲୋକଙ୍କୁ ଭୟଭୀତ କରିବାକୁ ଆତଙ୍କବାଦୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ। କିଛି ସମୟ ମଧ୍ୟରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ।

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରସାରିତ ସୂଚନାକୁ୍ ପୁଲିସ‌ା ଖଣ୍ଡନ କରିଛି। ଘଟଣାରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନାହିଁ। କେବଳ ଜଣେ ନାଗରିକ ଆହତ ହୋଇଛନ୍ତି ବୋଲି ଅତିରିକ୍ତ ଡିଜିପି ଆନନ୍ଦ ଜୈନ ସ୍ପଷ୍ଟୀକରଣ ଦେଇଛନ୍ତି।

ଅନ୍ୟପକ୍ଷେ ଡୋଡ଼ାରେ ଗତକାଲି ବିଳମ୍ବିତ ରାତିରେ ଛତରଗଲା ଅଞ୍ଚଳରେ ଥିବା ସେନା ଘାଟିରେ ଆତଙ୍କବାଦୀମାନେ ପ୍ରଥମେ ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଏକ ମିଳିତ ଟିମ୍‌ ଉପରେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୫ ଯବାନ ଆହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଅନ୍ୟ ଏକ ଘଟଣାକ୍ରମେ, ଡୋଡ଼ାର ଗଣ୍ଡୋ ଠାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଜି ପୁଣି ଏକ ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରରେ ଗତ ୩ ଦିନରେ ଏହା ଚତୁର୍ଥ ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଡୋଡ଼ାରେ ଦ୍ବିତୀୟ ଏନକାଉଣ୍ଟର।

ସମ୍ବନ୍ଧିତ ଖବର