ଭାରତରେ ୬ଜି ମେଣ୍ଟ ଗଠନ

ନୂଆଦିଲ୍ଲୀ : ଦେଶରେ ୫ଜି ଟେଲି ଯୋଗାଯୋଗର ସମ୍ପ୍ରସାରଣ ଦ୍ରୁତ ଗତିରେ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ପରବର୍ତ୍ତୀ ପିଢ଼ିର ୬ଜି ପ୍ରଯୁକ୍ତି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ସଂକଳ୍ପକୁ ଆଉ ପାଦେ ଆଗକୁ ନେଇ ଟେଲିକମ୍ ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ଉପସ୍ଥିତିରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତରେ ୬ଜି ମେଣ୍ଟ ଗଠନ ବିଷୟରେ ଘୋଷଣା କରିଛନ୍ତି। ବି୬ଜିଏ ନାମକ ଏହି ମେଣ୍ଟ ସରକାରୀ ଓ ଘରୋଇ କମ୍ପାନୀ, ଶିକ୍ଷାବିତ୍‌, ଗବେଷଣା ସଂସ୍ଥା ଓ ମାନକ ବିକାଶ ସଂଗଠନର ଏକ ସହଭାଗୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହାର ‌ୱେବସାଇଟ୍‌ https://bharat6galliance.comକୁ ଆଜି ଉନ୍ମୋଚନ କରାଯାଇଛି। ଏହା ଅନ୍ୟ ୬ଜି ବିଶ୍ବସ୍ତରୀୟ ସଂଗଠନର ସହିତ ସମନ୍ୱୟ ଓ ସହଭାଗିତା ପ୍ରତିଷ୍ଠା କରି କାର୍ଯ୍ୟ କରିବ ଏବଂ ଅନ୍ତର୍ଜାତୀୟ ସହଭାଗିତା ଓ ଜ୍ଞାନର ବିନିମୟକୁ ପ୍ରୋତ୍ସାହନ ଦେବ।

ଏହା ବ୍ୟତୀତ ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଣ୍ଠି (ଟିଟିଡିଏଫ) ଅଧୀନରେ ୨୪୦ କୋଟି ୫୧ ଲକ୍ଷ ଟଙ୍କାର ଅନୁଦାନ ସହିତ ପ୍ରକଳ୍ପଗୁଡ଼ିକ ପାଇଁ ଦୁଇଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ବିଭିନ୍ନ ଶିକ୍ଷା‌ନୁଷ୍ଠାନ ଓ କଂପାନିଗୁଡ଼ିକ ମଧ୍ୟରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି। ଆଇଆଇଟି ଦିଲ୍ଲୀ, ଆଇଆଇଟି ପାଟନା, ଆଇଆଇଟି ଗୌହାଟି, ଆଇଆଇଟି ମାଡ୍ରାସ ଆଦିକୁ ନେଇ ଏହି ବୁଝାମଣା ହୋଇଛି। ଏଥି ସହିତ ୬୬ଟି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ୪୮ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ଦୂରସଞ୍ଚାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୭୫ ଜଣ ଉଦ୍ଭାବକଙ୍କୁ ଦୂରସଞ୍ଚାର ବିଭାଗ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସେମାନଙ୍କୁ ଅସାଧାରଣ ସଫଳତା ଓ ସମର୍ପଣ ନିମନ୍ତେ ସମ୍ମାନିତ କରାଯାଇଛି । ଦୂରସଞ୍ଚାର ବିଭାଗ ଡିସିଆଇଏସ ଯୋଜନା ଅଧୀନରେ ଏପରି ଷ୍ଟାର୍ଟଅପ୍ ଓ ଏମଏସଏମଇଗୁଡ଼ିକୁ ପାଣ୍ଠି ଯୋଗାଇ ଦେଇ ଆସୁଛି।

ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୯ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ଯେଉଁଥିରେ ଢାଞ୍ଚାଗତ, ପ୍ରକ୍ରିୟାଗତ ସଂସ୍କାର ସହିତ ସହାୟତା ପଦକ୍ଷେପ ସାମିଲ ରହିଛି । ଫଳରେ ଦୂରସଞ୍ଚାର କ୍ଷେତ୍ର ଏକ ପ୍ରଗତିଶୀଳ କ୍ଷେତ୍ର ଭାବେ ଉଭା ହୋଇଛି । ସେ ଆହୁରି କହିଥିଲେ, ଭାରତ ଅନୁସରଣ କରୁଥିବା ପ୍ରଯୁକ୍ତିକୁ ସାରା ବିଶ୍ୱ ଅନୁସରଣ କରିଛି । ଗତ ୯ ବର୍ଷର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ଇଣ୍ଟରନେଟ୍‌ ଡେଟା ମୂଲ୍ୟ ୨୦୧୪ ରେ ଗୋଟିଏ ଜିବି ପିଛା ୩୦୦ ଟଙ୍କା ଥିବା ବେଳେ ୨୦୨୩ରେ ଏହା ୧୦ ଟଙ୍କାକୁ ହ୍ରାସ ପାଇଛି। ବିଟିଏସ୍‌ ସାଇଟ୍ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇ ୨୫ ଲକ୍ଷରେ ପହଞ୍ଚିଛି। ଦୂରସଞ୍ଚାର କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ପରିମାଣ ୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଫାଇଭ୍‌ ଜି କ୍ଷେତ୍ରରେ ଭାରତୀୟ ଦୂର ସଞ୍ଚାର ଉଦ୍ୟୋଗ ୨.୨୫ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି। ବର୍ତ୍ତମାନ ୪ଜିର ପ୍ରସାର ୯୯%ରେ ପହଞ୍ଚିଛି ଏବଂ ଅବଶିଷ୍ଟ ୩୮ ହଜାର କୋଟି ଟଙ୍କା ବିନିଯୋଗ କରାଯାଇ ୧୦୦% ସଂଯୋଗ ସୁନିଶ୍ଚିତ କରାଯିବ।

ସମ୍ବନ୍ଧିତ ଖବର