ଦିଲ୍ଲୀରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ପର୍ଯ୍ୟନ୍ତ ‘ଅରେଞ୍ଜ’ ଆଲର୍ଟ ଜାରି କରିଛି। ରବିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଜାତୀୟ ରାଜଧାନୀରେ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୬୦ ପ୍ରତିଶତ ରହିଥିଲା। ସେପଟେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତର-ପୂର୍ବର ଅନେକ ରାଜ୍ୟପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି।

ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ପୌର ସଂସ୍ଥାଗୁଡ଼ିକ ଜଳବନ୍ଦୀ, ଗଛ ଉପୁଡ଼ି ରାସ୍ତାରେ ପଡ଼ିବା ଏବଂ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଜୁନ୍ ୨୮ ତାରିଖ ଦିନ ଦିଲ୍ଲୀରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଗୁଜରାଟ ଓ ରାଜସ୍ଥାନ ସମେତ ଭାରତର ଅନେକ ରାଜ୍ୟରେ ରବିବାର ପ୍ରବଳ ବର୍ଷା ହୋଇଥିବାରୁ ମୌସୁମୀ ଉତ୍ତର ରାଜ୍ୟ ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି।

ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପୂର୍ବ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ପଶ୍ଚିମ ରାଜସ୍ଥାନର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସୌରାଷ୍ଟ୍ର ଅଞ୍ଚଳକୁ ଲାଗି ରହିଥିବା ଉତ୍ତର-ପୂର୍ବ ଆରବ ସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହେଉଥିବାରୁ ଗୁଜରାଟରେ ବର୍ଷା ଜାରି ରହିବ। ମହାରାଷ୍ଟ୍ରରେ ଓ କୋଙ୍କଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ପହିଲାରେ କେରଳ, ତାମିଲନାଡୁ ଏବଂ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି। ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଜମ୍ମୁ ଡିଭିଜନର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବା ସହ ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର