‌୫ ମାସ ପରେ ଜେଲ୍‌ରୁ ବାହାରିଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଜମି ଦୁର୍ନୀତି ମାମଲା‌ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍‌ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଛନ୍ତି। ପତ୍ନୀ କଳ୍ପନା ସୋରେନ ଏବଂ ଜେଏମ୍‌ଏମ୍‌ ସାଧାରଣ ସମ୍ପାଦକ ବିନୋଦ କୁମାର ପାଣ୍ଡେ ଓ ଅନ୍ୟ ସମର୍ଥକମାନେ ଆଜି ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ୍‌ ଜେଲ୍‌ରେ ପହଞ୍ଚି ହେମନ୍ତ ସୋରେନଙ୍କୁ ସ୍ବାଗତ କରିଥିଲେ। ସୋରେନ ଗତ ଜାନୁଆରି ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିଲେ। ଗିରଫ ହେବା‌ ସମୟରେ ସୋରେନ ତାଙ୍କ ବିରୋଧରେ ଥିବା ଜମି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଥିଲେ। ସୋରେନ କହିଥିଲେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦ୍ବାରା ଏହା ତାଙ୍କ ବିରୋଧରେ ଏକ ପ୍ରତିଶୋଧମୂଳକ ରାଜନୀତି। ତେବେ ହାଇକୋର୍ଟ ଗତ ଜୁନ୍‌ ୧୩ ତାରିଖରେ ସୋରେନଙ୍କ ଜାମିନ ଆବେଦନ ଉପ‌ରେ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଜାମିନ ମଂଜୁର କରିଛନ୍ତି। ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ସୋରେନଙ୍କୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ ମିନାକ୍ଷୀ ଆରୋରା କହିଛନ୍ତି, ସୋରେନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍‌ କରାଯାଇଛି ଏବଂ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଫସାଇ ଦିଆଯାଇଛି। ବରିଷ୍ଠ ଓକିଲ କପିଲ ସିବଲ ମଧ୍ୟ ସୋରେନଙ୍କୁ ପ୍ରତିନିଧିତ୍ବ କରିଥିଲେ। ଜାମିନ ଆବେଦନକୁ ବିରୋଧ କରି ଇଡି କହିଛି ସେ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପଦବିର ଅପବ୍ୟବହାର କରିଛନ୍ତି ଏବଂ ବେଆଇନ ଭାବେ ରାଜ୍ୟ ରାଜଧାନୀରେ ୮.୮୬ ଏକର ଜମି ହଡ଼ପ କରିଛନ୍ତି। ଇଡି ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା ଯେ ମାମଲାରେ କିଛି ସାକ୍ଷୀ ସୋରେନଙ୍କର ବେଆଇନ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ସ୍ପଷ୍ଟ କରି ସାରିଛନ୍ତି।

ସମ୍ବନ୍ଧିତ ଖବର