ଜେଡିୟୁ ରାସ୍ତାରେ ଯିବ କି ଟିଡ଼ିପି? ଚନ୍ଦ୍ରବାବୁଙ୍କୁ ଚ୍ୟାଲେଞ୍ଜ କଲେ ଜୟରାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବା ଦିନଠାରୁ କଂଗ୍ରେସ କ୍ରମାଗତ ଭାବରେ ଶାସକ ଦଳ ଉପରେ ଆକ୍ରମଣ କରିଆସୁଛି। ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ବିହାର ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ ରମେଶ କହିଛନ୍ତି ଯେ ଜେଡିୟୁ ଏକ ପ୍ରସ୍ତାବ ପାରିତ କରି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଦୋହରାଇଛି।ବାସ୍ତବରେ, ଶନିବାର ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବିହାର ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଏକ ସଂକଳ୍ପ ପାରିତ କରାଯାଇଛି ।

ଜୟରାମ ରମେଶ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରି ଏନଡିଏର ସହଯୋଗୀ ଦଳଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦାବି ଜେଡିୟୁ ଦୋହରାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟରେ ମଧ୍ୟ ଏପରି ପ୍ରସ୍ତାବ ପାରିତ କରାଇବାର ସାହସ ଦେଖାଇବେ କି? ବିହାରର ମୁଖ୍ୟମନ୍ତ୍ରୀ ଏହି ଦାବିକୁ ଜୋରଦାର କରିବେ କି? ଏବଂ ଏନେଇ ଟିଡିପିର ଆଭିମୁଖ୍ୟ କ’ଣ? କାହିଁକି ଏପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ପାଇଁ ସେପରି କୌଣସି ସଂକଳ୍ପ ପାରିତ ହୋଇନାହିଁ? ସୂଚନା ଥାଉ କି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏଥର ବିଜେପି ଲୋକସଭାରେ ୨୪୦ଟି ଆସନ ପାଇଛି। ଏନଡିଏର ସହଯୋଗୀମାନଙ୍କ ମାଧ୍ୟମରେ ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରାଯାଇଛି।

ସମ୍ବନ୍ଧିତ ଖବର