ରାଜ୍ୟସଭାରେ ଗର୍ଜିଲେ ଖଡ୍‌ଗେ: ଅଗ୍ନିବୀର ଯୋଜନା ପ୍ରତ୍ୟାହାର ପାଇଁ ଦାବି

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବାକୁ ଦାବି କରିଛନ୍ତି। କେବଳ ସ୍ଲୋଗାନ ଦେଇ ବିକାଶ ମୂଳକ କାର୍ଯ୍ୟ କରୁ ନ ଥିବାରୁ ସେ ଶାସକ ଦଳକୁ ସମାଲୋଚନା କରିଥିଲେ। ରାଜ୍ୟସଭାରେ ଖଡ୍‌ଗେ କହିଛନ୍ତି, ଅଗ୍ନିବୀର ଭଳି ଏକ ଯୋଜନାବିହୀନ ତୋଗଲକୀ ଯୋଜନା ଆଣି ସରକାର ଯୁବକଙ୍କ ମନୋବଳ ଭାଙ୍ଗିଦେଇଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ସେ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ନିଜର ଇସ୍ତାହାରରେ ଏହି ନୂତନ ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି ପୁରୁଣା ନିଯୁକ୍ତି ଯୋଜନାକୁ ଫେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ଖଡ୍‌ଗେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନରେ ବାଚସ୍ପତି, ଉପବାଚସ୍ପତି, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଭଳି ବ୍ୟବସ୍ଥା ରହିଛି, କିନ୍ତୁ ଉପବାଚସ୍ପତି ପଦବିକୁ ୫ ବର୍ଷ ପାଇଁ ଖାଲି ରଖିବା କ’ଣ ଗଣତାନ୍ତ୍ରିକ ଉପାୟ? ଏହି ପଦ ଗତ ୫ ବର୍ଷ ହେଲା ଖାଲି ପଡ଼ିଛି। ଏଥର ଲୋକସଭାରେ ଉପବାଚସ୍ପତି ନିଯୁକ୍ତ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ସ୍ଲୋଗାନ ଦେବାରେ ଧୂରନ୍ଧର, ମଣିପୁର ଗତ ଏକ ବର୍ଷ ଧରି ଜଳୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ରାଜ୍ୟ ଗସ୍ତ କରିନାହାନ୍ତି। ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦ ଅଭିଭାଷଣରେ ଦିଗ୍‌ଦର୍ଶନ ଓ ଦୂରଦୃଷ୍ଟିର ଅଭାବ ରହିଛି ବୋଲି କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ଗତଥର ଭଳି ଏଥର ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ କେବଳ ସରକାରଙ୍କୁ ପ୍ରଶଂସା କରିବାରେ ସୀମିତ ଥିଲା ବୋଲି ଖଡ୍‌ଗେ କହିଛନ୍ତି। ଏହାବ୍ୟତୀତ ସଂସଦ ପରିସରରେ ମହାତ୍ମା ଗାନ୍ଧୀ, ଆମ୍ବେଦକର ଓ ଅନ୍ୟମାନଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରେ ରଖିବାକୁ କଂଗ୍ରେସ ଅଧ୍ୟକ୍ଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର