ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ

ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ‘ମନ୍ କୀ ବାତ୍’

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ଏନ୍‌ଡିଏ ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗାମୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବିଷୟରେ ଆଲୋକପାତ କରିଛନ୍ତି। ସପ୍ତାହେ ପରେ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ଦେଶବାସୀଙ୍କ ଉପରେ ରହିବା ମୋର ଗଭୀର ଇଚ୍ଛା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଭୋଟରମାନେ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ସମ୍ବିଧାନ ଉପରେ ଅତୁଟ ବିଶ୍ୱାସ ରଖିଥିବାରୁ ପ୍ରଧାନମନ୍ତ୍ରୀ ଏହାର ଭୂୟସୀ ପ୍ରଶଂସା କରିଛନ୍ତି।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ଥିଲା ବିଶ୍ୱର ସବୁଠାରୁ ବଡ ନିର୍ବାଚନ । ପୃଥିବୀର କୌଣସି ଦେଶରେ ଏତେ ବଡ଼ ନିର୍ବାଚନ କେବେ ହୋଇନାହିଁ ଯେଉଁଥିରେ ୬୫ କୋଟି ଲୋକ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଲିମ୍ପିକ୍ସରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଦେଶ ଆଶା କରୁଛି । ଆସନ୍ତା ମାସ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହୋଇଯିବ। ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଅପେକ୍ଷା କରିଛନ୍ତି। ଅଲିମ୍ପିକ୍ କ୍ରୀଡ଼ା ପାଇଁ ମୁଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି। ଟୋକିଓ ଅଲିମ୍ପିକ୍ସର ସ୍ମୃତି ଆଜି ବି ଆମ ମନରେ ତାଜା ରହିଛି କାରଣ ସମସ୍ତ ଖେଳାଳି ନିଜ ପ୍ରଦର୍ଶନ ଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ, ଭାରତୀୟ ଚଳଚ୍ଚିତ୍ରଗୁଡ଼ିକର ବିଶ୍ୱସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ, ବନୀକରଣରେ ସଫଳତା ଆଦି ବିଷୟ ଉପରେ ଆଲୋକପାତ କରିଥିଲେ।

ପରିବେଶ ଓ ବନୀକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଜଣେ ବ୍ୟକ୍ତିର ଜୀବନରେ ମା’ର ସ୍ଥାନ ସବୁଠୁ ଉପରେ। ଯନ୍ତ୍ରଣା ସତ୍ତ୍ୱେ ମା’ ନିଜ ପିଲାଙ୍କୁ ପୋଷଣ କରନ୍ତି, ପିଲାମାନଙ୍କ ଉପରେ ସମସ୍ତ ସ୍ନେହ ବର୍ଷା କରନ୍ତି । ଆମକୁ ଜନ୍ମ ଦେଇଥିବା ମା’ଙ୍କ ଏହି ଭଲପାଇବା ଆମ ସମସ୍ତଙ୍କ ଉପରେ ଋଣ ପରି, ଯାହାକୁ କେହି ପରିଶୋଧ କରିପାରିବେ ନାହିଁ । ଏହି ଚିନ୍ତାଧାରାକୁ ନେଇ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସରେ ‘ଏକ ପେଡ୍ ମା କେ ନାମ’ (ମା’ଙ୍କ ନାମରେ ଗଛଟିଏ) ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ମୁଁ ମୋ ମା’ଙ୍କ ନାମରେ ଏକ ଗଛ ମଧ୍ୟ ଲଗାଇଛି । ମୁଁ ସମସ୍ତଙ୍କୁ ନିବେଦନ କରିଛି ଯେ ସେମାନେ ନିଜ ମା’ଙ୍କ ସହ କିମ୍ବା ତାଙ୍କ ନାମରେ ଏକ ଗଛ ଲଗାନ୍ତୁ ।’

ସମ୍ବନ୍ଧିତ ଖବର