ଭବିଷ୍ୟତରେ ଇଣ୍ଡି ମେଣ୍ଟ ସରକାର ଗଠନ ପାଇଁ ଦାବି କରିପା‌ରେ: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଟିଏମସି ସଂସଦୀୟ ଦଳ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବିଜେପି ବିରୋଧରେ ଇଣ୍ଡି ମେଣ୍ଟ ଆହୁରି ସୁଦୃଢ଼ ହେବ ବୋଲି ମତ ରଖି ଆଜି ମମତା ଗଣମାଧ୍ୟମକୁ କହିଛନ୍ତି ଯେ ଭବିଷ୍ୟତରେ ଇଣ୍ଡି ମେଣ୍ଟ ମଧ୍ୟ ସରକାର ଗଠନ ପାଇଁ ଦାବି କରିପାରେ। ଟିଏମସି ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବନି ବୋଲି ମଧ୍ୟ ମମତା ଘୋଷଣା କରିଛନ୍ତି। ଟିଏମ୍‌ସି ଆଜି ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଲୋକସଭାରେ ଦଳର ନେତା ନିର୍ବାଚିତ କରିଛି। ସେହିପରି କଲ୍ୟାଣ ବାନାର୍ଜୀ ଲୋକସଭାରେ ଚିଫ୍‌ ହ୍ବିପ୍‌ ନିଯୁକ୍ତ ହୋଇଛନ୍ତି। ଟିଏମସି ସାଂସଦ ଡେରେକ୍‌ ଓବ୍ରାଏନ ରାଜ୍ୟସଭାରେ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଦଳୀୟ ବୈଠକ ପରେ ମମତା କହିଛନ୍ତି, ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବାକୁ ପଡ଼ିବ ଏବଂ ତାଙ୍କ ଦଳ ସଂସଦରେ ଏହି ଦାବି ଉଠାଇବ। ମମତା କହିଛନ୍ତି, ୨୦୨୪ ‌‌ଲୋକସଭା ନିର୍ବାଚନାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ମୋଦୀଙ୍କର ଲକ୍ଷ୍ୟ ଥିଲା। କିନ୍ତୁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିପାରିଲାନି। ସେମାନଙ୍କ ନିକଟରେ ଏବେ ଆଉ ସଂଖ୍ୟା ନାହିଁ। ତେଣୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ନଥାଇ ସେମାନେ ସମ୍ବିଧାନ କିଭଳି ସଂଶୋଧନ କରିବେ। ମମତା କହିଛନ୍ତି, ଗତ ଥର ସେମାନେ ବିନା ଆଲୋଚନାରେ ବିଲ୍‌ ଗୃହୀତ କରିଦେ‌ଲେ କିନ୍ତୁ ଏବେ ଆଉ ତାହା କରିପାରିବେନି। ମମତା ମଧ୍ୟ ଏନଡିଏ ସରକାରକୁ କଡ଼ା କଟାକ୍ଷ କରିଛନ୍ତି। ଦେଶ ପରିବର୍ତ୍ତନ ଚାହେ। ୨୦୨୪ ଜନାଦେଶ ମଧ୍ୟ ପରିବର୍ତ୍ତନ ପା‌ଇଁ । ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଏହି ଜନାଦେଶ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଯାଇଛି। ତେଣୁ ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର