ବାଇଡେନଙ୍କୁ ଘାଣ୍ଟୁଛି ସ୍ମୃତି ବିଭ୍ରାଟ: ଅପରାହ୍ଣ ୪ଟା ପରେ ସବୁ ଗୋଳମାଳ

ଚିନ୍ତନ ଓ କଥାବାର୍ତ୍ତାରେ ତାଳମେଳ ରହୁନି, ଅଧିକ ଥକି ପଡ଼ୁଛନ୍ତି

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଏବେ ବାର୍ଦ୍ଧକ୍ୟଜନିତ ସ୍ମୃତି ବିଭ୍ରାଟ ବଡ଼ ସଙ୍କଟ ଆଣିଛି। ବାଇଡେନ କେବଳ ଦିନରେ ସୀମିତ ୬ ଘଣ୍ଟା ଠିକ୍‌ଠାକ୍‌ କାର୍ଯ୍ୟ କରିବାରେ ସକ୍ଷମ ହେଉଥିବା ବେଳେ ଅନ୍ୟ ସମୟରେ ବିଭ୍ରାଟର ଶିକାର ହେଉଛନ୍ତି। ତାଙ୍କ ଚିନ୍ତାରେ ଅସଂଗତି ରହୁଛି ଏବଂ କାର୍ଯ୍ୟ ସଂପାଦନରେ ତାଳମେଳ ରହୁନାହିଁ। ଏଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ହ୍ୱାଇଟ୍ ହାଉସ୍ ସହଯୋଗୀମାନେ ପ୍ରକାଶ କରିଛନ୍ତି ଯେ ୮୧ ବର୍ଷୀୟ ଡେମୋକ୍ରାଟ୍ ନେତା ବାଇଡେନ ସାଧାରଣତଃ ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ସର୍ବୋତ୍ତମ କାର୍ଯ୍ୟ କରନ୍ତି ।ଏହି ସମୟ ସୀମା ବାହାରେ କିମ୍ବା ବିଦେଶ ଗସ୍ତ ସମୟରେ ବାଇଡେନ୍ ଥକାପଣର ଶିକାର ହୁଅନ୍ତି ଏବଂ ଅନେକ କିଛି ଭୁଲିଯିବା ସହ ତତ୍‌କ୍ଷଣାତ କିଛି ନିଷ୍ପତ୍ତି ନେଇପାରନ୍ତି ନାହିଁ। ଏଭଳି ସ୍ଥିତିରେ ପୁଣି ଥରେ ରାଷ୍ଟ୍ରପତି ଭାବେ ସେ କାର୍ଯ୍ୟକାଳ ପୂରଣ କରିବା ପାଇଁ ଅସମର୍ଥ ବୋଲି ଅନେକ ମତ ଦେଇଛନ୍ତି। ନିକଟରେ ହୋଇଥିବା ରାଷ୍ଟ୍ରପତି ବିତର୍କରେ ବାଇଡେନ ଖରାପ ପ୍ରଦର୍ଶନ କରିବା ପରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ମଧ୍ୟ ବାଇଡେନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟା ନେଇ ଅଡ଼ୁଆରେ ପଡ଼ିଛନ୍ତି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ ବାଇଡେନଙ୍କ ସ୍ବାସ୍ଥ୍ୟ ସମସ୍ୟାରୁ ଭରପୂର ଫାଇଦା ଉଠାଉଛନ୍ତି। ବାଇଡେନଙ୍କ ଶାରୀରିକ ସୁସ୍ଥତା ଏବଂ ମାନସିକ ଦକ୍ଷତାକୁ ନେଇ ବିତର୍କ ସୃଷ୍ଟି ହୋଇଥିବା ବେଳେ ଡେମୋକ୍ରାଟ ନେତାମାନେ ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରାର୍ଥୀ ବଦଳାଇବା ନିମନ୍ତେ ଗୁରୁତ୍ବାରୋପ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ୯୦ ମିନିଟର ବିତର୍କ ବାଇଡେନଙ୍କ ପାଇଁ ଆଉ ୪ ବର୍ଷର କାର୍ଯ୍ୟକାଳ ସମ୍ଭାଳିବା ନିମନ୍ତେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଥିଲା। କିନ୍ତୁ ବାଇଡେନ ଏଥିରେ ଦୟନୀୟ ଭାବେ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର