ଲୋକସଭାରେ ରାହୁଲ ଝଡ଼, ଜବାବ ଦେଲେ ମୋଦୀ

ଦେଶରେ ଅରାଜକତାର ପ୍ରସାର କରୁଛି କଂଗ୍ରେସ, ମିଛକୁ ରାଜନୀତିର ଅସ୍ତ୍ର କରିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବା ସମୟରେ ବିରୋଧୀ ଦଳ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମୋଦୀ ପ୍ରଥମେ ଗୃହକୁ ସମ୍ବୋଧନ କରିବାପାଇଁ ନିଜ ଆସନରୁ ଉଠିବା ସ‌ମୟରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ବୟାନ ଦାବି କରି ସ୍ଲୋଗାନ ଦେଇଥିଲେ। ତେବେ ବିରୋଧୀମାନଙ୍କୁ କଡ଼ା ଜବାବ ଦେଇ ମୋଦୀ କହିଛନ୍ତି, ବିଶ୍ବର ସର୍ବବୃହତ୍‌ ନିର୍ବାଚନରେ ସର୍ବସାଧାରଣ ଆମକୁ ବାଛିଲେ। ମୁଁ କିଛି ଲୋକଙ୍କ କଷ୍ଟକୁ ବୁଝିପାରୁଛି। ଲଗାତାର ମିଛ ପ୍ରସାର କରି ସେମା‌ନେ ବଡ଼ ପରାଜୟ ସ୍ବୀକାର କରିଛନ୍ତି। ମୋଦୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ସେବା କରିବାକୁ ଭାରତର ଲୋକମାନେ ଆମକୁ ସୁଯୋଗ ଦେଇଛନ୍ତି। ଏହା ଦେଶର ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା।

ଦୁର୍ନୀତି ନିବାରଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୋଦୀ ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ହେବା ସମୟକୁ ମନେ ପକାଇଛନ୍ତି। ମୋଦୀ କହିଛନ୍ତି, ୨୦୧୪ରେ ଆମେ ଯେତେବେଳେ ପ୍ରଥମ ଥର ନିର୍ବାଚନ ଜିତି କ୍ଷମତାକୁ ଆସିଥିଲୁ ସେ ସମୟରେ ଆମେ ଦୁର୍ନୀତିକୁ ଆଦୌ ସହ୍ୟ କରାଯିବନାହିଁ ବୋଲି ପ୍ରତିଜ୍ଞା‌ କରିଥିଲୁ। ମୋଦୀ କହିଛନ୍ତି, ଦୁର୍ନୀତି ଦେଶକୁ ଉଇ ଖାଇଲା ‌ଭଳି ଖାଇ ଯାଇଥିଲା। କିନ୍ତୁ ଦୁର୍ନୀତି ବିରୋଧରେ ଆମର ଶୂନ୍ୟ ସହନଶୀଳତା ନୀତି ପାଇଁ ଦେଶବାସୀ ଆମକୁ ଆର୍ଶୀବାଦ ଦେଇଛନ୍ତି। ପୂର୍ବ ସରକାରକୁ କଟାକ୍ଷ କରି ମୋଦୀ କହିଛନ୍ତି, ଦେଶ ଦୀର୍ଘ ସମୟ ଧରି ତୁଷ୍ଟୀକରଣ ରାଜନୀତି ଏବଂ ଶାସନ ବ୍ୟବସ୍ଥା ଦେଖିଛି। କିନ୍ତୁ ଆମେ ତୁଷ୍ଟୀକରଣ ନୁହେଁ ବରଂ ସନ୍ତୁଷ୍ଟୀକରଣକୁ ଗ୍ରହଣ କରୁଛୁ। ମୋଦୀ କହିଛନ୍ତି, ୨୫ କୋଟି ‌ଲୋକଙ୍କୁ ଦାରିଦ୍ରୢରୁ ହଟାଇବାପାଇଁ ଆମର ବଡ଼ ଅଭିଯାନ ଯୋଗୁଁ ନିର୍ବାଚନରେ ଆମକୁ ଆର୍ଶୀବାଦ ମିଳିଛି।

ଦେଶରେ ଅରାଜକତାର ପ୍ରସାର କରୁଛି କଂଗ୍ରେସ
ମିଛକୁ ରାଜନୀତିର ଅସ୍ତ୍ର କରିଛି
ହିନ୍ଦୁଙ୍କୁ ପରିହାସ କରିବା ଫେସନ୍‌ ହୋଇଗଲାଣି
ହାଥ୍‌ରସ ଘଟଣାରେ ଶୋକ

ମୋଦୀ କହିଛନ୍ତି, ଆମେ ‘ବିକଶିତ ଭାରତ’ ପାଇଁ ଆମ ସଂକଳ୍ପ ପୂରଣ କରିବାକୁ ଅକ୍ଳାନ୍ତ ଉଦ୍ୟମ କରୁଛୁ। ତୃତୀୟ କାର୍ଯ୍ୟକାଳରେ ଆମେ ତିନି ଗୁଣା ଶକ୍ତି ଲଗାଇ କାମ କରୁଛୁ। ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ମୋଦୀ କହିଛନ୍ତି, ଆମେ ଗତକାଲି ‌ଲୋକସଭାରେ ପିଲାଳିଆ ବ୍ୟବହାର ଦେଖିଲୁ। ରାହୁଲଙ୍କ ନାଁ ନନେଇ ‌ମୋଦୀ ତାଙ୍କୁ ‘ବାଳକବୁଦ୍ଧି’ କହିଛନ୍ତି। ମୋଦୀ କହିଛନ୍ତି, ସେ ତାଙ୍କ ସୀମା ଜାଣିନାହାନ୍ତି। ମୋଦୀ କହିଛନ୍ତି, ଦେଶରେ ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବାପାଇଁ ଷଡ଼ଯନ୍ତ୍ର ହୋଇଛି ଏବଂ ଏହା ଅତି ଗୁରୁତର ପ୍ରସଙ୍ଗ। ହିନ୍ଦୁମାନଙ୍କୁ ପରିହାସ କରିବା ଏବେ ଫେସନ୍‌ ହୋଇଗଲାଣି। କଂଗ୍ରେସ ଦେଶରେ ଅରାଜକତାର ପ୍ରସାର କରୁଛି ଏବଂ ଏଥିପାଇଁ ଲଗାତାର ଷଡ଼୍‌ଯନ୍ତ୍ର ଚଳାଇଛି। ଦେଶରେ ଆର୍ଥିକ ଅରାଜକତା ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହି ଦଳ ପ୍ରୟାସ କରୁଛି ଏବଂ ସର୍ବଦା ମିଥ୍ୟା ଓ
ବିଭ୍ରାନ୍ତିକୁ ରାଜନୀତିର ଅସ୍ତ୍ର କରିଛି।

ପ୍ରଧାନମନ୍ତ୍ରୀ ହଠାତ୍‌ ତାଙ୍କ ଭାଷଣ ମଝିରେ ହାଥ୍‌ରସ ଘଟଣା ସଂକ୍ରାନ୍ତରେ ଗୃହରେ ଉଲ୍ଲେଖ କରି ଶୋକ ପ୍ରକାଶ କରିଥିଲେ। ମୋଦୀ ଏହି ଦୁଃଖଦାୟକ ଘଟଣା ସଂକ୍ରାନ୍ତରେ କହିବାବେଳେ ଗୃହରେ ମୋଦୀଙ୍କ ବିରୋଧରେ ଗର୍ଜୁଥିବା ବିରୋଧୀ ସାଂସଦମାନେ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ନିରବ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘ଏବେ ମୋ ପାଖରେ ଏକ ଦୁଃଖଦାୟକ ଖବର ପହଞ୍ଚିଛି। ହାଥ୍‌ରସରେ ଦଳାଚକଟା ହୋଇ ଅନେକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।

ସମ୍ବନ୍ଧିତ ଖବର