ନିଟ୍ ତାତି: ଆଜି ସଂସଦରେ ଘେରିବେ ବିରୋଧୀ

ମାର୍କସିଟ୍‌ ଜାଲିଆତି: ୩ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌କୁ ନେଇ ସରକାର ଓ ବିରୋଧୀ ଦଳ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ସରକାର ଏହି ପ୍ରସଙ୍ଗରେ ଆଲୋଚନା ଏଡ଼ାଇବା ଯୋଜନାରେ ଅଛନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିବା ବେଳେ ଶାସକ ଦଳ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି। ବିରୋଧୀ ଦଳ ସୁସ୍ଥ ବିତର୍କ ବଦଳରେ କେବଳ ହଟ୍ଟଗୋଳ ଚାହୁଛି ବୋଲି ବିଜେପି କହିଛି। ଆସନ୍ତାକାଲି ସଂସଦର ଉଭୟ ଗୃହରେ ନିଟ୍ ପେପର ଲିକ୍ ବିବାଦ, ମୁଦ୍ରାସ୍ଫୀତି ଏବଂ ଅଗ୍ନିପଥ ଯୋଜନା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତୀବ୍ର ବିତର୍କ ହେବାକୁ ଯାଉଛି। ଏଥିପାଇଁ ବିରୋଧୀ ଦଳମାନେ ପ୍ରସ୍ତୁତ ଥିବା ବେଳେ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ରଣନୀତି ତୟାର ରଖିଛନ୍ତି। ଶୁକ୍ରବାର ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ନିଟ୍ ଉପରେ ତୁରନ୍ତ ଆଲୋଚନା ଦାବି କରିଥିଲେ ମଧ୍ୟ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସୋମବାର ପେପର ଲିକ୍ ମାମଲା ବ୍ୟତୀତ ଲୋକସଭାରେ ବେକାରୀ ପ୍ରସଙ୍ଗ ଉଠାଇବାକୁ ମଧ୍ୟ ବିରୋଧୀ ଦଳମାନେ ସଙ୍କେତ ଦେଇଛନ୍ତି। ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ କରିବେ। ଏହି ପ୍ରସ୍ତାବକୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ବାଂସୁରୀ ସ୍ୱରାଜ ସମର୍ଥନ କରିବେ। ଲୋକସଭାରେ ଏହି ବିତର୍କ ପାଇଁ ୧୬ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍‌ବୋଧନ ରଖିବେ।

ସୂଚନାଯୋଗ୍ୟ, ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇସାରିଛି ଏବଂ ଏହି ବିତର୍କ ପାଇଁ ୨୧ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉତ୍ତର ଦେବା ସମ୍ଭାବନା ରହିଛି। ଶୁକ୍ରବାର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ଗୌହାଟୀ: ଗୌହାଟୀ ବିଶ୍ବବିଦ୍ୟାଳୟ ମାର୍କସିଟ୍‌ ଜାଲିଆତି ମାମଲାରେ ଆଜି ବାରପେଟା ପୁଲିସ ୩ ସରକାରୀ କର୍ମଚାରୀଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଟଙ୍କା ବଦଳରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଅଧିକ ନମ୍ବର ଚଢ଼ାଉଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବିହାର ସମସ୍ତିପୁରର ବାସିନ୍ଦା ତଥା ଗୌହାଟି ବିଶ୍ବବିଦ୍ୟାଳୟର କର୍ମଚାରୀ କ୍ରିଷ୍ଣନ୍‌ କ୍ରିଷ୍ଣାମୂର୍ତ୍ତି, ଧୁବ୍ରି ଆଇନ ମହାବିଦ୍ୟାଳୟର କନିଷ୍ଠ କଂପ୍ୟୁଟର ସହକାରୀ ଶିବତୋଷ ମହାତୋ, ଲଙ୍ଗଲା ମହାବିଦ୍ୟାଳୟର ପାଠାଗାର କର୍ମଚାରୀ ଅମିନୁଲ୍‌ ଇସଲାମ୍‌, ଅଜିଜୁଲ୍‌ ହକ୍‌, ଗାଲଗାଚିଆର ଇସ୍‌ମାଇଲ୍‌ ହୁସେନ୍‌, ଅମଗୁରିର ଆଲମଗିରି ଖାନ୍‌, ବୋରଡଙ୍ଗାର ମୋଇନୁଲ୍‌ ହକ୍‌, ନାଗାଓଁର ହାମେଜ୍‌ ଉଦ୍ଦୀନ ଓ ଲଙ୍ଗଲାର ଅବୁଲ୍‌ ବାଚେର୍‌।

ସୂଚନାଯୋଗ୍ୟ, ବାରପେଟା ରୋଡ୍‌ରେ ଥିବା ଗଣେଶଲାଲ ଚୌଧୁରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅଣ୍ଡରଗ୍ରାଜୁଏଟ୍‌ ଛାତ୍ର ଅଜିଜ୍‌ଉଲ୍‌ ହକ୍‌ଙ୍କ ମାର୍କସିଟ୍‌ରେ ନମ୍ବର ତାରତମ୍ୟ ଲକ୍ଷ୍ୟ କରିଥିଲେ।ଏ ନେଇ ଖୋଳତାଡ଼ ପରେ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର