ୟୁଜିସି-ନେଟ୍, ସିଏସ୍ଆଇଆର୍-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନ୍‌ଟିଏ) ଆଜି ବିଭିନ୍ନ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି। ୟୁଜିସି-ନେଟ୍, ସିଏସ୍‌ଆଇଆର-ନେଟ୍ ଏବଂ ଏନସିଇଟି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏଥର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ପୂର୍ବରୁ ଏହି ପରୀକ୍ଷା ପେନ୍‌ ଓ ପେପର୍‌ ଆଧାରିତ ଥିଲା । ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୫ରୁ ଜୁଲାଇ ୨୭ ମଧ୍ୟରେ ସିଏସ୍‌ଆଇଆର-ନେଟ୍ ପରୀକ୍ଷା ଶେଷ ହେବ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଏନ୍‌ଟିଏ ନେଟ୍ ପରୀକ୍ଷା ବାତିଲ କରିବା ପରେ ଏବେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯାଇଛି।

ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନରେ ଫେଲୋସିପ୍ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ଦୁଇଟି ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ଏନ୍‌ଟିଏ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଜୁଲାଇ ୧୦ରେ ଏନ୍‌ସିଇଟି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା-୨୦୨୪ ଜୁଲାଇ ୬ ତାରିଖରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ।

ଜୁନିୟର ରିସର୍ଚ୍ଚ ଫେଲୋ, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚ୍‌ଡି ସ୍କଲାର ଚୟନ ପାଇଁ ୟୁଜିସି-ନେଟ୍ ୨୦୨୪ ପରୀକ୍ଷା ଜୁନ୍ ୧୮ ତାରିଖରେ ଏନ୍‌ଟିଏ ପକ୍ଷରୁ ଦେଶବ୍ୟାପୀ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ତେବେ କେତେକ ଅନିୟମିତତା ସଂପର୍କରେ ରିପୋର୍ଟ ମିଳିବା ପରେ ସରକାର ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ଏନଟିଏ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନର ଗୋଟିଏ ଦିନ ପରେ ଶିକ୍ଷା ମନ୍ତ୍ରଣାଳୟ ଏହାକୁ ବାତିଲ କରିଥିଲା। ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର