ତାମିଲନାଡ଼ୁର ୧୦ ସ୍ଥାନରେ ଏନ୍‌ଆଇଏ ଚଢ଼ଉ

ଚେନ୍ନାଇ: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ହିଜବ୍‌ ଉତ୍‌ ତାହିରିର୍‌ ମାମଲାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ତାମିଲନାଡ଼ୁରେ ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢ଼ଉ କରାଯାଇଛି। ସୂଚନାନୁସାରେ, ସ୍ଥାନୀୟ ପୁଲିସ ଓ ଏନ୍‌ଆଇଏର ଟିମ୍‌ ଆଜି ସକାଳେ ଏକକାଳୀନ ଚେନ୍ନାଇ, ତ୍ରିଚି, ପୁଡୁକୋତ୍ତାଇ, ଥାଞ୍ଜୁଭୁର, ଇରୋଡ୍‌, ଥିରୁପୁର ଆଦିର ୧୦ଟି ସ୍ଥାନରେ ଚଢ଼ଉ କରିଥିଲେ। ସୂଚନାଯୋଗ୍ୟ, ୨୦୨୧ରେ ‘ଥୁଙ୍ଗା ଭିଜିଗଲ୍‌ ରେଣ୍ଡୁ ଇଜ୍‌ ଇନ୍‌ କାଜ୍‌ମିର ଷ୍ଟ୍ରିଟ୍‌’ ନାମକ ଫେସ୍‌ବୁକ୍‌ ଆକାଉଣ୍ଟରେ ମହମ୍ମଦ ଇକ୍‌ବାଲ୍‌ ନାମକ ଜଣେ ଯୁବକ ହିନ୍ଦୁ ଧର୍ମ ବିରୋଧରେ ଓ‌ ଦେଶ ବିରୋଧରେ ମନ୍ତବ୍ୟ ଦେଇ ଏକ ପୋଷ୍ଟ କରିଥିଲା। ପରବର୍ତ୍ତୀ ସମୟରେ ଏହି ଫେସ୍‌ବୁକ୍‌ ଆକାଉଣ୍ଟ ଏକ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ଏନେଇ ଏନ୍‌ଆଇଏ ପକ୍ଷରୁ ୟୁଏପିଏ ଓ ଆଇପିସିର ବିଭିନ୍ନ ଧାରାରେ ମଦୁରାଇର ଥିଦୀରନଗର ପୁଲିସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ନିକଟରେ ତାମିଲନାଡ଼ୁ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ହିଜବ୍‌ ଉତ୍‌ ତାହିରିର୍‌ ସଂଗଠନର ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମେକାନିକାଲ୍‌ ଇଂଜିନିୟର ହମିଦ୍‌ ହୁସେନ୍‌, ହମିଦ୍‌ର ବାପା ଅହମ୍ମଦ ମନସୁର, ଭାଇ ଅବ୍‌ଦୁଲ୍‌ ରେହେମାନ୍‌, ମହମ୍ମଦ ମୌରିସ୍‌, ଖାଦେର ନୱାଜ୍‌ ସେରିଫ୍‌, ଅହମ୍ମଦ ଅଲ୍ଲିକୁ ଗିରଫ କରାଯାଇଥିଲା। ଗିରଫ ଆତଙ୍କବାଦୀଙ୍କ ସୂଚନା ଆଧାରରେ ଆଜି ଏନ୍‌ଆଇଏ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର