ସଂସଦରେ ସେଙ୍ଗୋଲକୁ ବିରୋଧ: ରାଜଦଣ୍ଡ ହଟାଇବା ପାଇଁ ଦାବିକଲେ ସପା ସାଂସଦ

ନୂଆଦିଲ୍ଲୀ: ସଂସଦ ଭବନରେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସ୍ଥାପିତ ହୋଇଥିବା‌ ‘ସେଙ୍ଗୋଲ୍‌’କୁ ନେଇ ଆଜି ସଂସଦରେ ବିବାଦ ହୋଇଛି। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ବାଚସ୍ପତିଙ୍କ ଆସନ ନିକଟରେ ସେଙ୍ଗୋଲ ସ୍ଥାପନ କରିଥିଲେ। ଏହାକୁ ନେଇ ସେ ସମୟରେ ବିବାବ ମଧ୍ୟ ହୋଇଥିଲା। ‌ ଆଜି ମଧ୍ୟ ବିରୋଧୀ ସାଂସଦମାନେ ସେଙ୍ଗୋଲର ଗୁରୁତ୍ବକୁ ନେଇ ପ୍ରଶ୍ନ କରିଛନ୍ତି। ବିରୋଧୀ ସଦସ୍ୟ କହିଛନ୍ତି, ସେଙ୍ଗୋଲ୍‌ ହେଉଛି ‘ରାଜଦଣ୍ଡ’ ତଥା ରାଜାଙ୍କ ଦଣ୍ଡ। ଆଜି ଗୃହରେ ସମାଜବାଦୀ ପାର୍ଟି ସାଂସଦ ଆରକେ ଚୌଧାରୀ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏକ ପତ୍ର ଦେଇ ସେଙ୍ଗୋଲ୍‌ ହଟାଇବାପାଇଁ କହିଥିଲେ।

ମୋହନଲାଲଗଂଜ ସାଂସଦ ଚୌଧାରୀ କହିଛନ୍ତି, ସେଙ୍ଗୋଲ ସ୍ଥାନରେ ସମ୍ବିଧାନ ରହିବା ଉଚିତ। ସମ୍ବିଧାନ ହେଉଛି ଗଣତନ୍ତ୍ରର ପ୍ରତୀକ। ରାଜତନ୍ତ୍ର ଶେଷ ହୋଇଯାଇଛି। ତେଣୁ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ସଂସଦରୁ ସେଙ୍ଗୋଲ ହଟାଯିବା ଉଚିତ ବୋଲି ସେ କହିଛନ୍ତି। ସପା ମୁଖ୍ୟ ଅଖିଳେଶ ଯାଦବ ଚୌଧାରୀଙ୍କ ଟିପ୍ପଣୀକୁ ସମର୍ଥନ କରି କହିଛନ୍ତି, ଯେତେବେଳେ ସେଙ୍ଗୋଲ ଅବସ୍ଥାପିତ ହୋଇଥିଲା ସେ ସମୟରେ ପ୍ରଧାନମନ୍ତ୍ରୀ ପ୍ରଣାମ ମୁଦ୍ରାରେ ଥିଲେ। ଏବେ ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ପ୍ରଣାମ କରିବା ଭୁଲିଯାଇଛନ୍ତି ବୋଲି ସେ କହିଥିଲେ। ଏହାର ଜବାବରେ ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ସମାଜବାଦୀ ପାର୍ଟି ସଂସଦରେ ସେଙ୍ଗୋଲକୁ ‘ରାଜା କା ଦଣ୍ଡ’ କହି ବିରୋଧ କରିବା ଉକ୍ତ ଦଳର ହୀନମନ୍ୟତାକୁ ପ୍ରତିପାଦିତ କରୁଛି।

ସମ୍ବନ୍ଧିତ ଖବର