ରାଜକୋଟ ବିମାନବନ୍ଦର କ୍ୟାନୋପି ବି ଭୁଶୁଡ଼ିଲା

ରାଜକୋଟ: ଦିଲ୍ଲୀ ପରେ ଆଜି ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ଘଟଣା ଘଟିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ କ୍ୟାନୋପି ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଏହା ଭୁଶୁଡ଼ି ପଡ଼ିଥିଲା। ପରେ ଯୁଦ୍ଧସ୍ତରରେ ଏହାର ମରାମତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ କ୍ୟାନୋପି ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ୨୦୦୯ରେ ଏହି କ୍ୟାନୋପି ନିର୍ମାଣ ହୋଇଥିଲା। ରାଜକୋଟ କ୍ୟାନୋପି ଭୁଶୁଡ଼ିବା ଘଟଣାରେ ଆଜି ବିଜେପି କଂଗ୍ରେସକୁ କଟାକ୍ଷ କରିଛି। ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କୁ ଦାୟୀ କରିହେବନାହିଁ, କାରଣ ସେ ଆବଶ୍ୟକତା ଅନୁଯାୟୀ ଅଧିକ ବିମାନବନ୍ଦର ନିର୍ମାଣ କରିନଥିଲେ ବୋଲି ବିଜେପି କହିଛି। ରାଜକୋଟ କ୍ୟାନୋପି ଭୁଶୁଡ଼ିବା ସଂକ୍ରାନ୍ତରେ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ବର୍ଷା ନୁହେଁ ବରଂ ପ୍ରବଳ ପବନ ଯୋଗୁଁ କ୍ୟାନୋପିର ଏକ ପାଲ ଫାଟିଯାଇଛି। ଉଲ୍ଲେଖଯୋଗ୍ୟ, ଗତକାଲି ଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା ହେବାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଶରେ ସମସ୍ତ ଛୋଟ ଏବଂ ବଡ଼ ବିମାନବନ୍ଦର ଗୁଡ଼ିକର ସୁରକ୍ଷା ସ୍ଥିତି ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପାଣିପାଗ ବିଭାଗ ଦକ୍ଷିଣ ଗୁଜରାଟ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଗୁଜରାଟରେ ପ୍ରବଳରୁ ଅତି ପ୍ରବ‌ଳ ବର୍ଷା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର