ଆତ୍ମଘୋଷିତ ଧର୍ମଗୁରୁ ‘ଭୋଲେ ବାବା’ ଫେରାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥ୍‌ରସରେ ଆଜି ଯେଉଁ ସତ୍‌ସଂଗ କାର୍ଯ୍ୟକ୍ରମରେ ଭୟାବହ ଦଳାଚକଟା ଘଟଣା ଘଟିଛି ତାହାର ମୁଖ୍ୟ ଉଦ୍ୟୋକ୍ତା ହେଉଛନ୍ତି ଜଣେ ଆତ୍ମଘୋଷିତ ଧର୍ମଗୁରୁ ନାରାୟଣ ସାକାର ହରି। ଆଜି ଦଳାଚକଟା ଘଟଣା ପରଠାରୁ ଏହି ଧର୍ମଗୁରୁ ଫେରାର ହୋଇଯାଇଛନ୍ତି। ସେ ଏଟା ଜିଲ୍ଲାର ପଟିଆଲି ତହସିଲ ଅଧୀନସ୍ଥ ବାହାଦୁର ଗ୍ରାମ ବାସିନ୍ଦା। ଆଇବି (ଗୁଇନ୍ଦା ବ୍ୟୁରୋ)ର ସେ ଜଣେ ପୂର୍ବତନ କର୍ମଚାରୀ। ଧର୍ମ ଉପ‌ଦେଶ ଦେବାପାଇଁ ସେ ଗତ ୨୬ ବର୍ଷ ହେବ ତାଙ୍କ ସରକାରୀ ଚାକିରି ଛାଡ଼ି ଦେଇଥି‌ଲେ।

ଏବେ ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀ ସମେତ ସମଗ୍ର ଭାରତରେ ତାଙ୍କର ଅନେକ ଅନୁଗାମୀ ଅଛନ୍ତି। ତେବେ ଅନ୍ୟ ଆଧୁନିକ ଧର୍ମଗୁରୁଙ୍କ ପରି ‌ଭୋଲେବାବା ସୋସିଆଲ ମିଡିଆରେ ସକ୍ରିୟ ନୁହନ୍ତି। ସେ ସୋସିଆଲ ମିଡିଆରୁ ଦୂରେଇ ରହନ୍ତି। କୌଣସି ସୋସିଆଲ ମିଡିଆ ମଞ୍ଚରେ ତାଙ୍କର କିଛି ଆକାଉଣ୍ଟ୍‌ ନାହିଁ। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ଆଲିଗଡ଼ରେ ପ୍ରତି ମଙ୍ଗଳବାର ଭୋଲେ ବାବାଙ୍କ କାର୍ଯ୍ୟକ୍ରମ ହୁଏ। ସେଠାକୁ ହଜାର ହଜାର ଲୋକ ଆସନ୍ତି। କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସୁବିଧା କରାଯାଇଥାଏ। ଏଥର ହାଥ୍‌ରସ ସତ୍‌ସଂଗ ସମାରୋହରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏବଂ ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଶତାଧିକ ଲୋକଙ୍କ ଜୀବନ ଦଳାଚକଟାରେ ଚାଲିଗଲା।

ସମ୍ବନ୍ଧିତ ଖବର