ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ସୋନିଆ: ‘ସହମତି’ ନୁହେଁ, ମୋଦୀଙ୍କ ପସନ୍ଦ ‘ମୁହାଁମୁହିଁ’

ଦୁର୍ବଳ ଜନାଦେଶକୁ ପ୍ରଧାନମନ୍ତ୍ରୀ ବୁଝିପାରୁ ନାହାନ୍ତି, ନିଟ୍‌, ମଣିପୁର ପ୍ରସଙ୍ଗରେ ଘେରିଲେ

ନୂଆଦିଲ୍ଲୀ: ସଂସଦର ପ୍ରଥମ ଅଧିବେଶନରେ ଉପବାଚସ୍ପତି ପଦ ଏବଂ ନିଟ୍ ପ୍ରସଙ୍ଗ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର କଥା କଟାକଟି ଚାଲିଥିବା ବେଳେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସହମତି’ର କଥା କହୁଥିବା ବେଳେ ‘ମୁହାଁମୁହିଁ’ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ‘ଦ ହିନ୍ଦୁ’ର ସମ୍ପାଦକୀୟରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳକୁ ମୋଦୀ ଏପର୍ଯ୍ୟନ୍ତ ବୁଝିପାରିନାହାନ୍ତି, ଯେଉଁଥିରେ ଏନ୍‌ଡିଏ ଦୁର୍ବଳ ଜନାଦେଶ ସହ କ୍ଷମତାକୁ ଫେରିଛି। ପ୍ରଧାନମନ୍ତ୍ରୀ ଏମିତି ଚାଲିଛନ୍ତି ଯେମିତି କିଛି ବଦଳିନାହିଁ। ସେ ସହମତିର ମୂଲ୍ୟ ପ୍ରଚାର କରୁଛନ୍ତି କିନ୍ତୁ ସଂଘର୍ଷକୁ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟସଭା ସାଂସଦ କହିଛନ୍ତି। ଅଷ୍ଟାଦଶ ଲୋକସଭାର ପ୍ରଥମ କିଛି ଦିନ ଉତ୍ସାହଜନକ ନ ଥିଲା। ଆମେ ପରିବର୍ତ୍ତିତ ମନୋଭାବ ଆଶା କରୁଥିବା ବେଳେ ସେହି ଆଶା ଧୂଳିସାତ୍ ହୋଇଯାଇଛି ବୋଲି ସୋନିଆ କହିଛନ୍ତି। ସେ କହିଛନ୍ତି ଯେ ଲୋକସଭାରେ ଉପବାଚସ୍ପତି ପଦ ପରମ୍ପରା ଅନୁଯାୟୀ ବିରୋଧୀଙ୍କୁ ଦିଆଯିବା କଥା। ସପ୍ତଦଶ ଲୋକସଭାରେ ଉପବାଚସ୍ପତି ପଦ ପୂରଣ କରି ନ ଥିବା ସରକାର ଏହି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅନୁରୋଧକୁ ଗ୍ରହଣୀୟ ମନେ କରିନଥିଲେ।

ଦୁର୍ବଳ ଜନାଦେଶକୁ ପ୍ରଧାନମନ୍ତ୍ରୀ ବୁଝିପାରୁ ନାହାନ୍ତି
ନିଟ୍‌, ମଣିପୁର ପ୍ରସଙ୍ଗରେ ଘେରିଲେ
ସୋନିଆ ନିଜ ପରିବାରର ଅତୀତକୁ ଦେଖନ୍ତୁ: ବିଜେପି

ଜରୁରିକାଳୀନ ପରିସ୍ଥିତିକୁ ନେଇ ବିଜେପି କଂଗ୍ରେସ ବିରୋଧରେ ଆକ୍ରମଣ ଜାରି ରଖିଥିବା ବେଳେ ସୋନିଆ କହିଛନ୍ତି ଯେ ସମ୍ବିଧାନ ଉପରେ ଆକ୍ରମଣରୁ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ତାଜା କରିଛନ୍ତି। ଏହା ଆଶ୍ଚର୍ଯ୍ୟଜନକ ଯେ ବାଚସ୍ପତି ମଧ୍ୟ ଏହାକୁ ଉଠାଇଛନ୍ତି, ଯାହାଙ୍କଠାରୁ ନିରପେକ୍ଷତା ଆଶା କରାଯାଏ। ଏହା ଇତିହାସର ସତ୍ୟ ଯେ ୧୯୭୭ ମାର୍ଚ୍ଚରେ ଆମ ଦେଶର ଜନତା ଜରୁରିକାଳୀନ ପରିସ୍ଥିତି ଉପରେ ଏକ ସ୍ପଷ୍ଟ ରାୟ ଦେଇଥିଲେ। ପରେ କଂଗ୍ରେସ ପୁଣି କ୍ଷମତାକୁ ଫେରିଲା, ତାହା ମଧ୍ୟ ସେହି ଇତିହାସର ଏକ ଅଂଶ। ନିଟ୍ ପେପର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ଚୁପ୍ ରହିଥିବାରୁ ତାଙ୍କୁ ସମାଲୋଚନା କରି ସୋନିଆ ଗାନ୍ଧୀ କହିଛନ୍ତି ଯେ ଏହି ଦୁର୍ନୀତି ଆମର ଲକ୍ଷ ଲକ୍ଷ ଯୁବକଙ୍କ ଜୀବନକୁ କ୍ଷତି ପହଞ୍ଚାଇଛି। ମଣିପୁରରେ ଜାତିଗତ ହିଂସା ପରଠାରୁ ସଂଘର୍ଷଗ୍ରସ୍ତ ମଣିପୁର ଗସ୍ତ ନ କରିବା ପାଇଁ ମଧ୍ୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ସୋନିଆ ଗାନ୍ଧୀଙ୍କ ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭି କଂଗ୍ରେସ ସାଂସଦଙ୍କ ଅହଂକାରକୁ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ କରିବା ପୂର୍ବରୁ ତାଙ୍କୁ ତାଙ୍କ ପରିବାରର ଅତୀତକୁ ଦେଖିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର