ମୋଦୀ କ୍ୟାବିନେଟ୍‌ରେ ଟିଡିପି ନେତା ଚନ୍ଦ୍ରଶେଖର ସବୁଠୁ ଧନୀ ମନ୍ତ୍ରୀ

ନୂଆଦିଲ୍ଳୀ: ଏନ୍‌ଡିଏର ସହଯୋଗୀ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି)ର ସାଂସଦ ଚନ୍ଦ୍ରଶେଖର ପେମାସାନି ମୋଦୀ-୩.୦ କ୍ୟାବିନେଟ୍‌ର ସବୁଠୁ ଅଧିକ ଧନୀ ମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ଗୁଣ୍ଟୁରୁ ଆସନରୁ ଚନ୍ଦ୍ରଶେଖର ନିଜର ପ୍ରତିଦ୍ବନ୍ଦ୍ବୀ ୱାଏସ୍‌ଆର୍‌ କଂଗ୍ରେସର ପ୍ରାର୍ଥୀ କିଲାରି ଭେଙ୍କେଟ ରୋଷାୟାଙ୍କୁ ୩ ଲକ୍ଷ ୪୦ ହଜାର ଭୋଟରେ ପରାଜିତ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମମୟରେ ସେ ନିଜର ‌ମୋଟ ସମ୍ପତ୍ତି ୫୭୦୦ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି। ଗୁଣ୍ଟୁରର ବୁରିପାଲେମ୍‌ ଗାଁରେ ଜନ୍ମିତ ଚନ୍ଦ୍ରଶେଖର, ଓସମାନିଆ ବିଶ୍ବବିଦ୍ୟାଳୟରୁ ଏମ୍‌ବିବିଏସ୍‌ ପଢ଼ିବା ପରେ ଆମେରିକାର ପେନ୍‌ସିଲ୍‌ଭାନିଆର ଡାନଭିଲିରେ ସେ ଡାକ୍ତରୀ ଅଭ୍ୟାସ କରୁଛନ୍ତି। ସେ ଜୋନ୍‌ସ ‌ହୋପ୍‌କିନ୍‌ସ ବିଶ୍ବବିଦ୍ୟାଳୟର ସିନାଇ ହସ୍‌ପିଟାଲ୍‌ରେ ୫ ବର୍ଷ ଧରି ଶିକ୍ଷକତା କରିଛନ୍ତି। ଏହାପରେ ସେ ଚାକିରି ଛାଡ଼ି ସେ ଅନ୍‌ଲାଇନ୍‌ ଶିକ୍ଷା ପ୍ଲାଟ୍‌ଫର୍ମ ‘ୟୁୱାଲ୍‌ଡ୍‌’ ସ୍ଥାପନ କରିଥିଲେ। ପରେ ଟିଡିପିରେ ଯୋଗ ଦେଇ ଦଳର ଏନ୍‌ଆର୍‌ଆଇ ସେଲ୍‌ର ନେତୃତ୍ବ ନେଇଥିଲେ। ଏହାସହ ୨୦୨୦ରେ ସେ ଆମେରିକାର ଏର୍ନେଷ୍ଟ ଓ ୟଙ୍ଗ୍‌ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ୨୦୨୪ରେ ପ୍ରଥମ ଥର ପାଇଁସେ ନିର୍ବାଚନ ଲଢ଼ି ନିଜର ପ୍ରତ୍ୟକ୍ଷ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର