ନିଖୋଜ ମହିଳାଙ୍କ ମୃତଦେହ ଅଜଗର ପେଟରୁ ଉଦ୍ଧାର

ମକାସର(ଇଣ୍ଡୋନେସିଆ): ତିନି ଦିନ ପୂର୍ବେ ଜଣେ ୪୫ ବର୍ଷୀୟ ମହିଳା ନିଖୋଜ ହୋଇଯାଇଥିଲେ। ପରିବାର ସଦସ୍ୟ ଅନେକ ଖୋଜାଖୋଜି କରିବା ପରେ ନିରାଶ ହୋଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ମହିଳାଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ଶନିବାର ସ୍ଥାନୀୟ ବାସିନ୍ଦା ଏକ ୧୬ଫୁଟ ଦୀର୍ଘ ଅଜଗର ପେଟରୁ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କାଲିମପେଂ ଗାଁ ମୁଖିଆ ସୁରାଡି ରୋସିଙ୍କ ସୂଚନାନୁସାରେ, ୪ ସନ୍ତାନର ଜନନୀ ଫରିଦା (୪୫) ଗୁରୁବାର ରାତିରେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ଖୋଜଖବର ମିଳିନଥିଲା। ଶନିବାର, ଫରିଦାଙ୍କ ସ୍ବାମୀ ଘଟଣାଦିନ ଫରିଦା ସାଥୀରେ ନେଇ ଯାଇଥିବା କିଛି ସାମଗ୍ରୀକୁ ଜଙ୍ଗଲ ମଧ୍ୟରୁ ପାଇଥିଲେ। ପରେ ସନ୍ଦେହରେ ଗାଁ ଲୋକଙ୍କ ସହାୟତାରେ ଆଖପାଖର ଅଞ୍ଚଳକୁ ଖୋଜିଥିଲେ। ଶେଷରେ ଏକ ଅଜଗରକୁ ପାଇଥିଲେ। ଗାଁଲୋକଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ଅଜଗରର ପେଟ କାଟିଥିଲେ। ସେଥିରୁ ସଂପୂର୍ଣ୍ଣ ପୋଷାକ ପିନ୍ଧିଥିବା ଅବସ୍ଥ‌ାରେ ଫରିଦାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଗବେଷକମାନେ କହିଛନ୍ତି, ଅଜଗର ଦ୍ବାରା ମଣିଷକୁ ସଂପୂର୍ଣ୍ଣ ଗିଳିବା ଏକ ଦୁର୍ଲଭ ଘଟଣା। କିନ୍ତୁ ଗତ କିଛି ବର୍ଷ ଧରି ଏଭଳି ଘଟଣା ଏକାଧିକ ଥର ଘଟିଛି।

ସମ୍ବନ୍ଧିତ ଖବର