ମମତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ମମତା ବାନାର୍ଜୀ ରାଜଭବନ କାର୍ଯ୍ୟକଳାପ ସଂକ୍ରାନ୍ତରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ରାଜ୍ୟପାଳ ତାଙ୍କ ବିରୋଧରେ ଶୁକ୍ରବାର କାଲକାଟା ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ କହିଥିଲେ ଯେ ରାଜଭବନରେ ଚାଲିଥିବା କାର୍ଯ୍ୟକଳାପ ପାଇଁ କିଛି ମହିଳା ରାଜଭବନ ଯିବାପାଇଁ ଭୟ କରୁଥିବା ସଂକ୍ରାନ୍ତରେ ତାଙ୍କ ନିକଟରେ ଅଭିଯୋଗ ରହିଛି। ଉଲ୍ଲେଖଯୋଗ୍ୟ, କିଛି ସପ୍ତାହ ପୂର୍ବେ ଜଣେ ଠିକା କର୍ମଚାରୀ ରାଜ୍ୟପାଳ ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭି‌ଯୋଗ ଆଣିଥିଲେ।

ଏହାପରେ କୋଲକାତା ପୁଲିସ ମଧ୍ୟ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆନନ୍ଦ ବୋଷ ମଧ୍ୟ କିଛି ଟିଏମ୍‌ସି କର୍ମୀଙ୍କ ବିରୋଧରେ ଆପରାଧିକ ଷଡ଼୍‌ଯନ୍ତ୍ର ମାମଲା ରୁଜୁ କରିଛନ୍ତି। ତେବେ ମମତା ବାନାର୍ଜୀ ଗତକାଲି ରାଜ୍ୟ ସଚିବାଳୟରେ ଏକ ପ୍ରଶାସନିକ ବୈଠକ କରିବା ସମୟରେ ଏଭଳି ଟିପ୍ପଣୀ ଦେଇଥିବାରୁ ରାଜ୍ୟପାଳଙ୍କ ପକ୍ଷରୁ ଏଭଳି ବୟାନର ଦୃଢ଼ ବିରୋଧ କରାଯାଇଛି।

ସମ୍ବନ୍ଧିତ ଖବର