ଛତିଶଗଡ଼ରରେ ୨୭ ହଜାର କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଜଗଦଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ ବସ୍ତରର ଜଗଦଲପୁରଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାରଠାରେ ଏନ୍‌ଏମ୍‌ଡିସି ଷ୍ଟିଲ୍ ଲିମିଟେଡ୍‌ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି। ସେ ତାରୋକି-ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ବିକାଶିତ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ। ଚଳିତ ବର୍ଷ ଭିତ୍ତିଭୂମି ପାଇଁ ବ୍ୟୟବରାଦ ୧୦ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୬ ଗୁଣା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି। ରେଳ, ସଡ଼କ, ବିମାନ ବନ୍ଦର, ବିଦ୍ୟୁତ୍ ପ୍ରକଳ୍ପ, ପରିବହନ, ଗରିବଙ୍କ ପାଇଁ ଘର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନଗୁଡିକରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୯ ବର୍ଷ ମଧ୍ୟରେ ଇସ୍ପାତ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ ଏକ ବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି ବୋଲି ପ୍ରଧାନମନ୍ତ୍ରୀ ଆଜି ନାଗରନାରଠାରେ ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନାର ଉଦ୍‌ଘାଟନ କରି କହିଥିଲେ।
ଏହି କାରଖାନାରେ ଉତ୍ପାଦିତ ଇସ୍ପାତ ଦେଶର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ। ବସ୍ତରରେ ଉତ୍ପାଦିତ ଇସ୍ପାତ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ରପ୍ତାନିକୁ ବୃଦ୍ଧି କରିବ। ଏହି ଇସ୍ପାତ କାରଖାନା ବସ୍ତର ଓ ଆଖପାଖ ଅଞ୍ଚଳର ପାଖାପାଖି ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି।

ଯୋଗାଯୋଗ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୪ ମସିହା ତୁଳନାରେ ଛତିଶଗଡ଼ର ରେଳ ବଜେଟ୍ ପ୍ରାୟ ୨୦ ଗୁଣା ବୃଦ୍ଧି ପାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ତାରୋକିକୁ ଏକ ନୂଆ ରେଳ ଲାଇନ ମିଳୁଛି ବୋଲି ସେ ସେ ଉଲ୍ଲେଖ କରିଛନ୍ତି। ନୂଆ ଡେମୁ ଟ୍ରେନ୍ ତାରୋକିକୁ ଦେଶର ରେଳ ମାନଚିତ୍ରରେ ସଂଯୋଗ କରିଛି, ଯାହାଦ୍ବାରା ରାଜଧାନୀ ରାୟପୁରକୁ ଯାତ୍ରା କରିବା ସହଜ ହେବ। ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରାକୁ ସହଜ କରିବ। ଏହି ଅବସରରେ ଛତିଶଗଡର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟର ବିକାଶ ପାଇଁ ଚିନ୍ତିତ ଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ମୋହନ ମାଣ୍ଡବୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର