ନୂଆଦିଲ୍ଲୀ: ସବୁଜ ବାଣ ବିକ୍ରି କରିବାପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିନାହାନ୍ତି। ବାରିୟମ ସଲ୍ଟ ବ୍ୟବହାର ହେଉଥିବା ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେବାପାଇଁ ବାଣ ପ୍ରସ୍ତୁତକାରୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କମ୍‌ ପ୍ରଦୂଷଣ ହେଉଥିବାରୁ ଏହି ବାଣକୁ ଅନୁମତି ଦେବାପାଇଁ ଆବେଦନକାରୀ ଯୁକ୍ତି ରଖିଥିଲେ। କିନ୍ତୁ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ଜଷ୍ଟିସ ଏ ଏସ୍‌ ବୋପନ୍ନା ଏବଂ ଏମ ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ ଆଜି ଏ ସଂକ୍ରାନ୍ତ ୨ଟି ଆବେଦନକୁ ଖାରଜ କରିଦେଇଛନ୍ତି।

Advertisment

ଖରାପ ସ୍ବାସ୍ଥ୍ୟ ପ୍ରଭାବ ପାଇଁ କୋର୍ଟ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷେ ସମସ୍ତଙ୍କୁ ଏହି ମାମଲାରେ ‘ହାପି ଦିୱାଲି’ କହି ଶୁଭେଚ୍ଛା ଜଣାଇଛନ୍ତି। କୋର୍ଟ କହିଛନ୍ତି, ବାଣ ନିଷିଦ୍ଧ ହୋଇଥିବାରୁ ଏ କ୍ଷେତ୍ରରେ ସବୁଜ ବାଣକୁ ନେଇ ମଧ୍ୟ ଅନୁମତି ଦେବାର ପ୍ରଶ୍ନ ଉଠୁନାହିଁ। ଉଲ୍ଲେଖଯୋଗ୍ୟ, ୩ ଜଣ ନାବାଳକଙ୍କ ପିଆଇଏଲ୍‌ ଆଧାରରେ ସୁପ୍ରିମକୋର୍ଟ ୨୦୧୮ ଅକ୍ଟୋବରରେ ବାଣ ନିଷିଦ୍ଧ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣନ୍‌ କୋର୍ଟରେ ହାଜର ହୋଇ ମାମଲାକୁ ତାଲିକାଭୁକ୍ତ କରିବାପାଇଁ କହିଥିଲେ। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ।