ବିକ୍ରମ ମିସ୍ରି ନୂଆ ବିଦେଶ ସଚିବ

ନୂଆଦିଲ୍ଲୀ: ୧୯୮୯ ବ୍ୟାଚ୍‌ ଆଇଏଫ୍‌ଏସ୍‌ (ଭାରତୀୟ ବିଦେଶ ସେବା) ଅଫିସର ତଥା ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ବିକ୍ରମ ମିସ୍ରି ଦେଶର ନୂଆ ବିଦେଶ ସଚିବ ନିଯୁକ୍ତ ହୋଇଛନ୍ତି। ମିସ୍ରିଙ୍କୁ ଦେଶର ପରବର୍ତ୍ତୀ ବିଦେଶ ସଚିବ ନିଯୁକ୍ତ କରାଯିବା ନେଇ ବିଦେଶ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ପ୍ରସ୍ତାବକୁ ଏସିସି (ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି) ସ୍ବୀକୃତି ଦେଇଛନ୍ତି। ବିନୟ ମୋହନ କ୍ବାତ୍ରାଙ୍କ ସ୍ଥାନରେ ବିକ୍ରମ ମିସ୍ରି ନୂଆ ବିଦେଶ ସଚିବ ନିଯୁକ୍ତ ହୋଇଛନ୍ତି। ବିଦେଶ ସଚିବ ଭାବେ କ୍ବାତ୍ରାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧୪ ତାରିଖ‌‌ରେ ଶେଷ ହେଉଥିବାରୁ ଜୁଲାଇ ୧୫ ତାରିଖରୁ ମିସ୍ରି ବିଦେଶ ସଚିବ ଭାବେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବେ।

ଉଲ୍ଲେଖଯୋଗ୍ୟ, କ୍ବାତ୍ରାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚରେ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା। ୫୯ ବର୍ଷୀୟ ମିସ୍ରି ୩ ଜଣ ପ୍ରଧାନମନ୍ତ୍ରୀ ତଥା ୧୯୯୭ରେ ଇନ୍ଦ୍ର କୁମାର ଗୁଜରାଲ, ୨୦୧୨ରେ ମନମୋହନ ସିଂହ ଏବଂ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କର ବ୍ୟକ୍ତିଗତ ସଚିବ ଭାବେ କାମ କରିଥିଲେ। ୧୯୬୪ରେ ଶ୍ରୀନଗରରେ ଜନ୍ମ ହୋଇଥିବା ମିସ୍ରି ଗ୍ବାଲିୟରରେ ତାଙ୍କ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ମିସ୍ରି ଚୀନ୍‌ରେ ମଧ୍ୟ ଭାରତର ରାଷ୍ଟ୍ରଦୂତ ଥିଲେ। ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଆଲୋଚନା ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ।

ସମ୍ବନ୍ଧିତ ଖବର