୧.୫ ଟନ୍‌ ନିଷିଦ୍ଧ ପଲିଥିନ୍‌ ଜବତ

ଭୁବନେଶ୍ୱର: ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ କଟକଣାକୁ କଡ଼ାକଡ଼ି କରିବା ସହ ବିଏମ୍‌ସି ନିୟମିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଆଜି ବିଏମ୍‌ସିର ସେଣ୍ଟ୍ରାଲ ଏନ୍‌ଫୋର୍ସ‌‌‌ମେଣ୍ଟ ଟିମ୍‌ ଡମଣା ମାର୍କେଟ୍‌ ଅଞ୍ଚଳର ଏକ ଗୋଦାମ ଘରୁ ୧.୫ ଟନ୍‌ରୁ ଅଧିକ ପରିମାଣର ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ରୁ ପ୍ରସ୍ତୁତ କ୍ୟାରିବ୍ୟାଗ୍‌, ଗ୍ଲାସ, ଦନା ପ୍ରଭୃତି ସାମଗ୍ରୀ ଜବତ କରିଛି। ଏହି ଗୋଦାମକୁ ସିଲ୍‌ କରାଯାଇଛି। ତା’ ସହ ୨୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଏହି ବ୍ୟବସାୟୀ ଗତ ବର୍ଷ ମଧ୍ୟ ଏଭଳି ଧରାପଡ଼ିଥିଲା। ଏଭଳି ମୋଟା ପରିମାଣର ପଲିଥିନ୍‌ ଜବତ ହୋଇଥିଲା।

ଗୋଦାମଟି ସରକାରୀ ଜାଗାରେ ନିର୍ମ‌ାଣ ହୋଇଛି। କିନ୍ତୁ ବିଏମ୍‌ସି ଏହାକୁ ଗତବର୍ଷ ମଧ୍ୟ ଉଚ୍ଛେଦ କରିନଥିଲା। ଗତ ଅକ୍ଟୋବର ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୩.୫ ମେଟ୍ରିକ ଟନ୍‌ର ନିଷିଦ୍ଧ ପଲିଥିନ୍‌ରୁ ପ୍ରସ୍ତୁତ ସାମଗ୍ରୀ ଜବତ ହେବା ସହ ଏ ବାଦରେ ୩ ଲକ୍ଷ ୮୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସେହିଭଳି ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ଜୋରଦାର ଚଢ଼ଉ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍‌ରେ ରଙ୍ଗିଲା ହୋଟେଲ ନିଜ ପରିସରର ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଆବର୍ଜନା ଜମା କରିଥିବାରୁ ଏହାକୁ ସିଲ୍‌ କରାଯାଇଛି। ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଅନୁରୂପ ଭାବେ ଏଲ୍‌ଆଇସି ଛକରେ ଏକ ଓମ୍‌ଫେଡ୍‌ ବୁଥ୍‌କୁ ୫ ହଜାର ଟଙ୍କା ଜରିମାନା ହେବା ସହ ଦୋକାନ ସିଲ୍‌ କରଯାଇଛି।

ସମ୍ବନ୍ଧିତ ଖବର