ଆଁ ମେଲାଇଛି୨୭ କିମି ନାଳ: ୧୨.୪ କୋଟି ଖର୍ଚ୍ଚରେ ପଡ଼ିବ ସ୍ଲାବ୍‌

୩ ମାସରେ ସରିବ କାମ, ଶିଶୁ ମୃତ୍ୟୁ ପରେ ଚେତିଲେ

ଭୁବନେଶ୍ବର: ଗତ ୧୯ ତାରିଖ ଦିନ ୟୁନିଟ୍‌-୩ ଅଞ୍ଚଳରେ ନଳାରେ ପଡ଼ି ଶିଶୁ ଭାସିଯିବା ପରେ ବିଏମ୍‌ସି ଚେତିଛି। ଖୋଦ୍‌ ମନ୍ତ୍ରୀ ତନାଘନା କରିବା ପରେ ତଦନ୍ତ ହେବା ସହ ଡ୍ରେନେଜ ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା। ଆଉ କିଛି ବିପଦ ଆସିବା ପୂର୍ବରୁ ବିଏମ୍‌ସି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳାକୁ ଯାଞ୍ଚ କରିଥିଲା। ଏହି ଯାଞ୍ଚ ବେଳେ ବିଏମ୍‌ସିର ୧୩୮୦ କିମି ନଳାରୁ ୨୭ କିମି ନଳାରେ ଢାଙ୍କୁଣି ନଥିବା ଜଣାପଡ଼ିଥିଲା। ବିଏମ୍‌ସିରେ ଥିବା ୬୭ ୱାର୍ଡ ମଧ୍ୟରୁ ଏହି ମୁକୁଳା ନଳା ସବୁ ୫୪ଟି ୱାର୍ଡରେ ରହିଥିବା ଜଣାପଡ଼ିଥିଲା। ଜଣାପଡ଼ିବା ପରେ ପରେ ବିଏମ୍‌ସି ଏ ସବୁରେ ଢାଙ୍କୁଣି ପକାଇବା ସହ ଆବଶ୍ୟକ ହେଉଥିବା ମରାମତି କରିବାକୁ ଯୋଜନା କରିଥିଲା। ଏ ସବୁକୁ ମରାମତି ଓ ଢାଙ୍କୁଣି ପକାଇବା ପାଇଁ ବିଏମ୍‌ସି ମୋଟ ୧୨କୋଟି ୪୦ ଲକ୍ଷ ୧୪ ହଜାର ୪୬୭ ଟଙ୍କାର ବ୍ୟୟ ଅଟକଳ କରି ଟେଣ୍ଡର ଡାକିଛି। ଜୁଲାଇ ୪ ଆବେଦନର ଶେଷ ତାରିଖ ରହିଛି। ଅକ୍ଟୋବର ବେଳକୁ କୌଣସି ନାଳ ମୁକୁଳା ରହିବ ନାହିଁ ବୋଲି ବିଏମ୍‌ସି ଯୋଜନା କରିଛି। ତେବେ ପ୍ରଶ୍ନ ଉଠୁଛି ଏତେ ଲମ୍ବାର ନାଳ କିଭଳି ମୁକୁଳା ପଡ଼ିଥିଲା? କେହି କେମିତି ଜାଣି ପାରୁନଥିଲେ? ଯଦି ଏବେ ୩ ମାସରେ ସାରିଦେବେ, ତେବେ ପୂର୍ବରୁ କଣ ସମସ୍ୟା ଥିଲା? ଜଣେ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରି କର୍ତ୍ତବ୍ୟରେ ଅବହେଳା କରି ଖସି ଯାଇଥିବା ବଡ଼ବଡ଼ିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍‌ସିକୁ ବିବାଦକୁ ଟାଣିଛି।

୨୦୨୧ ମସିହାରେ ବରମୁଣ୍ଡା ଶତାବ୍ଦୀନଗର ଡ୍ରେନ୍‌ରେ ଛାତ୍ର ଭାସି ଯାଇ ମୃତ୍ୟୁ ବରଣ କରିବା ପରେ ଏଭଳି ତନାଘନା ହୋଇଥିଲା। ନଳାରେ ସ୍ଲାବ୍‌ ପଡ଼ିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଯେଉଁଠି ସ୍ଲାବ୍‌ ପଡ଼ିବା ନେଇ ଅଦାଲତି କଟକଣା ରହିଥିଲା ସେଠାରେ ବାଉଁଶ ଓ ଲୁହାର ବାଡ଼ ମଧ୍ୟ ଦିଆଯାଇଥିଲା। କେବଳ ଏଭଳି ସାମୟିକ ସମାଧାନ ନୁହେଁ, ବରଂ ବିଭିନ୍ନ ନଳାରେ ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍, ମୁଖ୍ୟ ଡ୍ରେନ୍‌କୁ ଅନ୍ୟ ଡ୍ରେନ୍‌କୁ ସଂଯୋଗ କରିବା ପାଇଁ ଆବଶ୍ୟକ ହେଉଥିବା ୧୪ ଏକର ଘରୋଇ ଜମି ଅଧିଗ୍ରହଣ କରିବାକୁ ଯୋଜନା ହୋଇଥିଲା। ହେଲେ ପ୍ରସଙ୍ଗ ଥମିଯିବା ପରେ ବିଏମ୍‌ସି ଭୁଲି ଯାଇଥିଲା। ତିନିବର୍ଷ ପରେ ବି ଏହି ଅଧିଗ୍ରହଣ ସମ୍ଭବ ନ ହେବାରୁ ଜଳବନ୍ଦୀ ସମସ୍ୟା ସମାଧାନ ଯୋଜନା ଚୁଲିକୁ ଗଲା। ଏବଂ ଅଘଟଣର ପୁନରାବୃତ୍ତି ହେଲା। ଏହାର ଏକ ବଡ଼ ଉଦାହରଣ ହେଉଛି ବମିଖାଲ ଅଞ୍ଚଳ। ଏଠାରେ ଡ୍ରେନ୍‌ରୁ ମୁଖ୍ୟ ନାଳ ପର୍ଯ୍ୟନ୍ତ ୫୫୦ ମିଟର ସଂଯୋଗୀକରଣ ଡ୍ରେନ୍‌ର ଆବଶ୍ୟକତା ଅଛି। କିନ୍ତୁ ଜମି ସମସ୍ୟା ବାଟ ଓଗାଳିଛି। ଏଭଳି ଚିହ୍ନଟ ହୋଇଥିବା ୧୨ଟି ଅତି ସମ୍ବେଦନଶୀଳ ଅଞ୍ଚଳରେ ବର୍ଷା ସମୟରେ ଲହଡ଼ି ମାରୁଥିବା ବର୍ଷା ଓ ନଳା ପାଣି ଜୀବନ ନେଇ ଯିବାକୁ ଅନାଇ ବସୁଛି।

୧୨.୪ କୋଟି ଖର୍ଚ୍ଚରେ ପଡ଼ିବ ସ୍ଲାବ୍‌
୩ ମାସରେ ସରିବ କାମ
ଶିଶୁ ମୃତ୍ୟୁ ପରେ ଚେତିଲେ
ଖୋଲା ନଳା କଥା ଜାଣିପାରୁନଥିଲେ କେମିତି?

ଅନ୍ୟପଟେ ବିଏମସିର ୧୩୮୦ କିମିର ନିଜସ୍ବ ଡ୍ରେନ ରହିଥିଲା। କିନ୍ତୁ ଚଳିତ ବର୍ଷ ପୂର୍ତ୍ତ ବିଭାଗର ୩୬୦ କିମି ଡ୍ରେନ୍‌ ବିଏମ୍‌ସି ଅଧୀନକୁ ଆସିଛି। କିନ୍ତୁ ସେଗୁଡ଼ିକ ସଫା ହୋଇ ନାହିଁ କିମ୍ବା କେଉଁଠି ମୁକୁଳା ଅଛି ତାହାର ହିସାବ ମଧ୍ୟ ବଏମ୍‌ସିକୁ ଅବଗତ କରାଯାଇ ନାହିଁ। ଏଣୁ ବିଏମ୍‌ସି ୨୭ କିମି ଡ୍ରେନ୍‌ ଘୋଡ଼ାଇବା ପରେ ବି ପୂର୍ତ୍ତ ବିଭାଗ ନଳା ବିପଦ ଡାକିଆଣିବା ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଇଡ୍‌କୋ ଓ ଏନଏଚ୍ଏଆଇ ଅଧୀନରେ ମଧ୍ୟ ୩୪ କିମିର ଡ୍ରେନ୍ ରହିଛି। ଏହାର କଣ ଅବସ୍ଥା କାହା ପାଖରେ ହିସାବ ନାହିଁ। ଏଣୁ ଜଳବନ୍ଦୀ ସମସ୍ୟା ସମାଧାନ କେବଳ ଅନୁମାନରେ ଚାଲିବା ଭଳି ଅନୁମେୟ ହେଉଛି। ବିଏମ୍‌ସି ମୁଖ୍ୟଯନ୍ତ୍ରୀ ବିଳାସ ବେହେରା କହିଛନ୍ତି, ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଗୃହ ଓ ନଗର ମନ୍ତ୍ରୀ ମଧ୍ୟ ଗୁରୁତ୍ବର ସହ ନେଇ ସମୀକ୍ଷା କରୁଛନ୍ତି। ୧୨ଟି ସମ୍ବେଦନଶୀଳ ନିଷ୍କାସନ ପାଇଁ ଯେଉଁ ଯୋଜନା ହୋଇଛି ସେଥିରେ ମନ୍ତ୍ରୀଙ୍କ ସ୍ବୀକୃତି ମିଳିଲେ ଜଳବନ୍ଦୀ ସମସ୍ୟାର ସମାଧାନ ହେବ।

ଉଲ୍ଲେଖଯୋଗ୍ୟ, ବିଏମ୍‌ସିର ୧୩୮୦ କିମି ଆଭ୍ୟନ୍ତରୀଣ ନାଳକୁ ଜୁନ୍‌ ୩୦ ସୁଦ୍ଧା ସଫା କରିବାକୁ ଯୋଜନା ହୋଇଥିଲା। ତାହା ହୋଇ ପାରି ନାହିଁ। ୭୭ କିମି ମୁଖ୍ୟ ନାଳ ମଧ୍ୟ ଶତପ୍ରତିଶତ ସଫା ହୋଇପାରି ନାହିଁ। ନଳା ମୁକୁଳା ରହିଥିବା ଜାଗା ମଧ୍ୟରୁ ୩୪ ସମ୍ବେଦନଶୀଳ ରହିଛି। ଗତ ୧୯ ତାରିଖରେ ଗୋଟିଏ ସପ୍ତାହ ମଧ୍ୟରେ ଏହି ଜାଗାରେ ବ୍ୟାରିକେଡିଂ କରାଯିବାକୁ ଯୋଜନା ଥିଲେ ମଧ୍ୟ ତାହା ବି ଶତପ୍ରତିଶତ ହୋଇ ନାହିଁ। ୮ଟି ଅତି ସମ୍ବେଦନଶୀଳ ଜାଗା ପୂର୍ତ୍ତ, ଏନ୍‌ଏଚ୍‌ଏଆଇ ଓ ଇଡ୍‌କୋ ଅଧୀନରେ ରହିଛି।

ସମ୍ବନ୍ଧିତ ଖବର