୬୦ ମିନିଟ୍‌ ବର୍ଷା: ୪ ଘଣ୍ଟା ଜାମ୍‌

ପ୍ଲାନିଂରେ ଥିବା ପୁରୁଣା ତ୍ରୁଟି, ଦୂରଦୃଷ୍ଟିର ଅଭାବ ତଥା ଏବେ ପରିଚାଳନାରେ ଘୋର ବିଫଳତା ଓ ଉଦାସୀନତା କାରଣରୁ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ସାଂଘାତିକ ହୋଇ ଚାଲିଛି। ଦୁର୍ଘଟଣାରେ ତ ନିୟମିତ ମୁଣ୍ଡ ଗଡୁଛି, ତା’ବାହାରେ ବି କାମରେ ଘରୁ ବାହାରୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଜାମ୍‌ରେ ଫସି ରହୁଛନ୍ତି। କିନ୍ତୁ ଏହାର ସମାଧାନ ପାଇଁ କାହାରି ନିଷ୍ଠା ଥିବା ଭଳି ମନେ ହେଉନାହିଁ। ପ୍ରଶାସନ ଯେକୌଣସି ବିରାଟ ଦୁର୍ବିପାକର ସମ୍ମୁଖୀନ ହେବାଲାଗି ପ୍ରସ୍ତୁତ ବୋଲି ଦାବି କରା ଯାଉଥିବାବେଳେ ମାତ୍ର ଘଣ୍ଟାକର ସାଧାରଣ ବର୍ଷା ସହରକୁ ଅଚଳ କରିଦେବା ସରକାରୀ ବିଭାଗଗୁଡ଼ିକର ଦକ୍ଷତାକୁ ଉପହାସ କରୁଛି

ଭୁବନେଶ୍ବର: ରାଜଧାନୀରେ ଆଜି ସନ୍ଧ୍ୟା ସମୟରେ ମାତ୍ର ୬୦ ମିନିଟ ବ‌ର୍ଷା ହେଲା। ବର୍ଷା ହେବବୋଲି ଆଗରୁ ସୂଚନା ଥିଲା। କିନ୍ତୁ ସେଥିପାଇଁ କୌଣସି ବିଭାଗ ପକ୍ଷରୁ କିଛିହେଲେ ଯୋଜନା ନଥିଲା। ଫଳରେ ମାତ୍ର ଏତିକି ବର୍ଷାରେ ସା‌ରା ରାଜଧାନୀର ହଜାର ହଜାର ଲୋକ ୪ ଘଣ୍ଟା ଧରି ଟ୍ରାଫିକ ଜାମ୍‌ରେ ଫସି ରହିଲେ। ପୂର୍ବଭଳି ଆଜି ମଧ୍ୟ ଦାୟିତ୍ବରେ ଥିବା କୌଣସି ବିଭାଗ ଏହାକୁ ନେଇ ତିଳେହେଁ ବିଚଳିତ ବା ଚିନ୍ତିତ ହେବାଭଳି ମନେ ହେଲାନି।

ରାଜଧାନୀରେ ଟ୍ରାଫିକ ସମସ୍ୟା ଏବେ ‌ଉଗ୍ରରୂପ ଧରିଲାଣି। କିନ୍ତୁ ଏହାର ସମାଧାନ କେବଳ ବୈଠକ, ଆଲୋଚନା ଓ ଭାଷଣବାଜିରେ ‌ସୀମିତ ରହିଛି। ବିଭିନ୍ନ ବିଭାଗକୁ ଏବାବଦରେ ପଚାରିଲେ କିଏ ଲୋକଙ୍କୁ ଦୋଷ ଦେଉଛି ତ ଆଉ କିଏ ବର୍ଷାକୁ ବା ହଂସପାଳ ବ୍ରିଜ କାମ ଚାଲୁଥିବାରୁ ଏଭଳି ଜାମ୍‌ ହେଉଥିବା କହି ଖସିବାକୁ ଚେଷ୍ଟା କରୁଛି। ମିଳିତ ଭାବେ ଯୋଜନା କରି ଏହି ସମସ୍ୟାର ସମାଧାନ ପାିଁ ଉଦ୍ୟମ କରାଯାଉନାହିଁ। ଏହାର ଫଳ ଭୋଗୁଛନ୍ତି ସାଧାରଣ ଜନତା।

ଆଜି ସନ୍ଧ୍ୟାରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଝିପିଝିପି ବର୍ଷା‌ ଲାଗି ରହିଥିଲା। ସନ୍ଧ୍ୟା ସମୟରେ ବର୍ଷା ହେବାରୁ କିଛି ସମୟ ରାସ୍ତାଘାଟରେ ଗାଡ଼ି ଚଳା‌ଚଳ କମି ଯାଇଥିଲା। କିନ୍ତୁ ବର୍ଷା ଛାଡ଼ିବା ପ‌ରେ ସବୁ ଗାଡ଼ି ହଠାତ୍‌ ରାସ୍ତା ଉପରକୁ ଆସିଯିବାରୁ ଟ୍ରା‌ଫିକ ଜାମ୍‌ ହୋଇ ସାରା ସହର ରାସ୍ତା ଉପରେ ଅଟକିଯିବା ଭଳି ସ୍ଥିତି ଉପୁଜି ଥିଲା। ଅନେକ ଲୋକ ବର୍ଷାରୁ ବର୍ତ୍ତିବ‌ା ପାଇଁ ବିଭିନ୍ନ ଓଭରବ୍ରିଜ ତଳେ ଅଟକି ରହିଥିଲେ। ଫଳରେ ଓଭରବ୍ରିଜ ତଳେ ଟ୍ରା‌ଫିକ ଜାମ୍‌ ବଢ଼ିଥିଲା। ରାସ୍ତାକଡ଼ରେ ମଧ୍ୟ ଲୋକମ‌ା‌ନେ ବେଆଇନ ଭାବେ ଗାଡ଼ି ଅଟକାଇ ରଖିଥିଲେ। ‌ବର୍ଷା ଛାଡ଼ୁଛାଡ଼ୁ ଟ୍ରା‌ଫିକ ପୁଲିସ ନଥିବାରୁ ଲୋକମାନେ ରଙ୍ଗ ସାଇଡ୍‌ରେ ଗାଡ଼ି ପୂରାଇ ଦେଇଥିଲେ। ଫଳରେ ସହରର ବିଭିନ୍ନ ସ୍ଥାନରେ ଜାମ୍‌ ବଢ଼ିଥିଲା। ବିଶେଷ କରି ଓଭରବ୍ରିଜ ତଳ ଅଞ୍ଚଳର ଯେପରିକି ରସୁଲଗଡ଼ ଛକ, ମଞ୍ଚେଶ୍ବର ଛକ, ସିଆର୍‌ପି, ନୂଆପଲ୍ଲୀ ଆଦି ଅଞ୍ଚଳରେ ଏହି କାରଣରୁ ଜାମ୍‌ ହୋଇଯାଇଥିଲା।

ଏହାପରେ ବର୍ଷା‌ କ‌‌ାରଣରୁ ହଂସପାଳ ଓଭରବ୍ରିଜ କାମ ଚାଲୁଥିବାରୁ ସେଠାରେ ମଧ୍ୟ ଗାଡ଼ି ଚଳାଚଳ ଧୀର ହୋଇଯାଇଥିଲା। ଫଳରେ ହଂସପାଳ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ପୂରା ସହରରେ ଜାମ୍‌ ଲାଗି ଯାଇଥିଲା‌। ଜାମ୍‌ରେ ଏକା‌ଧିକ ଆମ୍ବୁଲାନ୍ସ ସମେତ ଜରୁରି ଗାଡ଼ି ଅଟକି ରହିଥିଲା। ଉପରୋକ୍ତ ପ୍ରମୁୂଖ ରାସ୍ତାକୁ ବିଭିନ୍ନ ଛକରେ ସଂଯୋଗ କରୁଥିବା ରାସ୍ତାକୁ ଏ ଜାମ୍‌ ଅତି ସହଜରେ ସଞ୍ଚରି ଯାଇଥିଲା। ଫଳରେ ରସୁଲଗଡ଼ରୁ କଳ୍ପନା, ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ, ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲ ଓ ପିଏମ୍‌ଜି, ଜୟଦେବବିହାରରୁ ପଟିଆ ଆଦିଯାଏ ଜାମ୍‌ ହୋଇ ଯାଇଥିଲା। ହଜାର ହଜାର ଗାଡ଼ି ଓ ସେଥିରେ ଥିବା ଲୋକ ଭିଡ଼ରେ ଫସି ଅଟକିଥିଲେ। ଝିପିଝିପି ବର୍ଷାରେ ଭିଜି ସରକାର, ପ୍ରଶାସନ ଓ ପୁଲିସକୁ ମନଭରି ଗାଳି ଦେଇଥିଲେ।

ଦୂରଦୃଷ୍ଟିର ଅଭାବ
ରାଜଧାନୀ ପ୍ରଥମେ ପଚାଶ ହଜାର ଲୋକଙ୍କୁ ନେଇ ତିଆରି ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାର ଜନସଂଖ୍ୟା ଓ ଏହାର ପରିସର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ବଢ଼ୁଥିବାର ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତି କଲାବେଳେ ଦୂରଦୃଷ୍ଟିର ଘୋର ଅଭାବ ପରିଲକ୍ଷିତ ହେଉଛି। ଆଜି ଗୋଟେ ବିଭାଗ ପକ୍ଷରୁ କାମ ହେଲେ କାଲି ତାହା ଆଉ କେଉଁ ବିଭାଗ ପକ୍ଷରୁ ଖୋଳା ହୋଇଯାଉଛି। ପୁଣି ରାଜଧାନୀରେ ଗାଡ଼ି, ଆପାର୍ଟମେଣ୍ଟ ସଂଖ୍ୟାରେ ନିୟନ୍ତ୍ରଣ ରହୁନାହିଁ। ଫଳରେ ପାର୍କିଂ ସମସ୍ୟା ମଧ୍ୟ ଉତ୍କଟ ହେଉଛି। ତେଣୁ ସରକାର ଏହି ସମସ୍ୟାଗୁଡ଼ିକର ଠିକ୍‌ ସମାଧାନ କରନ୍ତୁ।
– ତାପସୀ ପ୍ରହରାଜ, ସମାଜସେବୀ

ତଦାରଖ ହେଉନାହିଁ
ରାଜଧାନୀରେ ଯେତିକି ଡ୍ରେନ ଅଛି ସେଥିରେ ଚ୍ୟାମ୍ୱର ନାହିଁ ଏହାର ଫଳସ୍ୱରୁପ ଡ୍ରେନ୍‌ର ଜଳ ନିଷ୍କାସନ ହୋଇପାରୁନାହିଁ। ଯଦିଓ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡ୍ରେନ ସଫା କରାହେଉଛି କିନ୍ତୁ ସେଥିରେ ଜଳ ନିଷ୍କାସନ ହେଉଛି କି ନାହିଁ ତାହାର ଠିକ୍‌ ତଦାରଖ କରା ହେଉନାହିଁ। ଏହାର ଫଳସ୍ୱରୁପ ବିଭିନ୍ନ ସ୍ଥାନରେ ପାଣି ଜମା ହେଉଛି ଏବଂ ଜଳବନ୍ଦୀ ଯୋଗୁଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ପୁଣି ସହରର ଯେତିକି ଫ୍ଲାଏ ଓଭର ଅଛି ତାହାର ମଧ୍ୟ ଡିଜାଇନ ଠିକ୍‌ ଭାବରେ ହୋଇନାହିଁ। ଏହା ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହାକୁ କରାଯାଇଥିଲା ତାହା ପୂରଣ ହୋଇପାରୁନାହିଁ। ପୁଣି ଏହି ଫ୍ଲାଏ ଓଭର ତଳକୁ ଗାଡ଼ି ମାଲିକ ଓ ବ୍ୟବସାୟୀ କବଜା କରି ରଖୁଛନ୍ତି ଯାହାଦ୍ୱାରା ମଧ୍ୟ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି। ତେଣୁ ସରକାର ଏହାପ୍ରତି ଦୃଷ୍ଟି ଦିଅନ୍ତୁ।
-ଜଗଦାନନ୍ଦ, ସିଵାଇଏସଡିର ସହ ପ୍ରତିଷ୍ଠାତା ତଥା ସମାଜସେବୀ

ବର୍ଷା ହେଲେ ପୋଷ୍ଟ୍‌ରେ ରହୁ ନାହାନ୍ତି ଟ୍ରାଫିକ ପୁଲିସ
ବର୍ଷା ହେଲେ ରହୁ ନାହାନ୍ତି ଟ୍ରାଫିକ ପୁଲିସ। ରେନ କୋଟ ମଧ୍ୟ ପିନ୍ଧୁ ନାହାନ୍ତି। କିଛି ସମୟ ଛତା ଧରି ଛିଡ଼ା ହେଉଥିଲେ ମଧ୍ୟ ଅଧିକାଂଶ ସମୟରେ କେହି ରହୁନାହାନ୍ତି। ଟ୍ରାଫିକ ପୁଲିସଙ୍କୁ କିଛି ଦିନ ବିଭିନ୍ନ ଅନୁଷ୍ଠାନଙ୍କ ପକ୍ଷରୁ ତଳେ ଛତା ଓ ରେନ୍‌କୋଟ ମଧ୍ୟ ଦିଆଯାଇ ଥିଲା। ସରକାରୀ ସ୍ତରରେ ମଧ୍ୟ ସେମାନଙ୍କୁ ଅବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। କିନ୍ତୁ ଏହାକୁ ବ୍ୟବହାର କରାଯାଉନଥିବା ଅଭିଯୋଗ ହେଉଛି। ଅବଶ୍ୟ କିଛି କର୍ତ୍ତବ୍ୟନି‌ଷ୍ଠ ପୁଲିସ କର୍ମଚାରୀ ବର୍ଷାରେ ଓଦାହୋଇ ଟ୍ର‌‌ାଫିକ ନିୟନ୍ତ୍ରଣ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏହା ସତ ଯେ ଅଧିକାଂଶ ସ୍ଥାନରେ ବର୍ଷା ହେଲେ ଟ୍ରାଫିକ ପୋଷ୍ଟ ଫାଙ୍କା ରହୁଛି।

ପୁଣି ଭାସିଲା ଭୁବନେଶ୍ବର
ବର୍ଷା ପୂର୍ବରୁ ତନାଘନା ହେଲା। ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଯୋଜନା ହେଲା। ହେଲେ ଆଜି ଘଣ୍ଟାଏ ବର୍ଷାରେ ଭୁବନେଶ୍ବର ଭାସିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ମାରିବାରୁ ସାରା ସହରରେ ହଜାର ହଜାର ଲୋକ ଟ୍ରାଫିକ୍‌ ଜାମ୍‌ରେ ଫସି ରହିଲେ। ପୁରୁଣା ଭୁବନେଶ୍ବର ଠାରୁ ଆରମ୍ଭ କରି ବମିଖାଲ, ଜାଗମରା, ସୁବାଷନଗର ବସ୍ତି ପ୍ରଭୃତି ଅଞ୍ଚଳ ଜଳମଗ୍ନ ହେଲା। ଏହା ସହିତ ଯେଉଁ ୧୨ଟି ସମ୍ବେଦନଶୀଳ ଚିହ୍ନଟ ହୋଇଥିଲା, ସେଠାକାର ବାସିନ୍ଦାଙ୍କ ସହ ପଥଚାରୀ ନଳାପାଣିରେ ଲଟପଟ ହେଲେ। ବମିଖାଲ ରାସ୍ତାରେ ଆଣ୍ଠୁଏ ପାଣି ଜମିବାରୁ ଘଣ୍ଟାଏ କାଳ ଟ୍ରାଫିକ୍‌ ଜାମ୍‌ ହେଲା। କେବଳ ଏହି ଗୋଟିଏ ଜାଗା‌ରେ ନୁହେଁ, ସାରା ସହରରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର