୩ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ୩ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା

ଭୁବନେଶ୍ବର: ଝିଅ ବୟସର ପ‌ଡ଼ୋଶୀ ଘର ୩ ବର୍ଷୀୟା ନାବାଳିକାକୁ ବଡ଼ ନୃଶଂସ ଭାବେ ଦୁଷ୍କର୍ମ କରି ଗୁରୁତର କରିବା ପରେ ଚମ୍ପଟ ମାରିଥିବା ବର୍ବର ସନ୍ତୋଷ ଖୁଣ୍ଟିଆକୁ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଗିରଫ କରିଛି। ଗତକାଲି ରାତିରେ ତାକୁ ଏୟାର୍‌ଫିଲ୍‌ଡ ଥାନା ପୁଲିସ ପିପିଲିରୁ ଉଠାଇଛି। ଆଜି ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେଠାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିୟମାନୁସାରେ ପୋକ୍‌ସୋ ଆକ୍ଟ ଧାରାରେ ଏହି ସଂଗିନ ମାମଲାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯିବ ଏବଂ ଖୁବ୍‌ଶୀଘ୍ର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ପିଶାଚ ସନ୍ତୋଷକୁ କଠୋରରୁ କଠୋର ଦଣ୍ଡ ମିଳିବାକୁ ପୁଲିସ ପକ୍ଷରୁ କୋର୍ଟଙ୍କୁ ସବୁପ୍ରକାର ଦସ୍ତାବିଜ୍ ଓ ଫୋରେନ୍‌ସିକ୍‌ ଟିମ୍‌ର ତଥ୍ୟ ପ୍ରମାଣ ଠିକ୍‌ ସମୟରେ ଦିଆଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ଗତ ୩୦ ତାରିଖରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଅଘଟଣ ଘଟିଥିଲା। ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳରେ ଭଡ଼ା ଘରେ ରହୁଥିବା ନାବାଳିକାଟି ସେଦିନ ଜେଜେବାପାଙ୍କ ସହ ଦୋକାନକୁ ଯାଇଥିଲା ଏବଂ କିଛି ସମୟ ପରେ ଜେଜେବାପା ଓ ନାତୁଣୀ ଘରକୁ ଫେରିଥିଲେ। ଜେଜେବାପା ଘର ଭିତରକୁ ଗଲେ, କିନ୍ତୁ ନାବାଳିକାଟି ଏକୁଟିଆ ଦାଣ୍ଡରେ ଖେଳୁଥିଲା। ଏହି ମଉକାରେ ସନ୍ତୋଷ ନାବାଳିକାକୁ ଫୁସୁଲାଇ ନିଜ ଘରକୁ ଡାକିନେଇଥିଲା। ପଡ଼ୋଶୀ ବୋଲି ପୂର୍ବରୁ ନାବାଳିକାଟି ସନ୍ତୋଷକୁ ‘ଅଙ୍କଲ୍‌ ଅଙ୍କଲ୍‌’ ଡାକି ବହୁ ଥର ତା’ ଘରକୁ ଯାଉଥିଲା। ତେଣୁ ଏଥର ବି ନାବାଳିକାଜଣକ ସନ୍ତୋଷ ସହ ତା’ ଘର ଭିତରକୁ ଯାଇଥିଲା। ମାତ୍ର ୩ ବର୍ଷ ବୟସର କୋମଳମତି ଶିଶୁଟି କେମିତି ବୁଝିପାରିଥା’ନ୍ତା, କାମାନ୍ଧ ସନ୍ତୋଷ ଭିତରେ ସବାର ହୋଇଛି ଭୂତ। ପିଶାଚ ସନ୍ତୋଷ ନାବାଳିକାକୁ ଜୋର୍‌କରି ଦୁଷ୍କର୍ମ କରିଥିଲା। ଏଣେ ଝିଅ କୁଆଡ଼େ ଗଲା ବୋଲି ମା’ ‌ଖୋଜିଥିଲେ। ସାହିରେ କିଛି ଲୋକଙ୍କୁ ପଚାରିବା ପରେ ଯାଇ ତାଙ୍କର ସନ୍ତୋଷ କଥା ମନେପଡ଼ିଲା। ପୂର୍ବରୁ ବହୁଥର ସନ୍ତୋଷ ଖେଳିବା ବାହାନାରେ ନାବାଳିକାକୁ ନିଜ ଘରକୁ ଡାକି ନେଇଥିଲା। ତେଣୁ ସେ ତୁରନ୍ତ ସନ୍ତୋଷର ଘରକୁ ଯାଇ ବନ୍ଦ କବାଟକୁ ଠେଲି ଦେଇଥିଲେ।

ଖଟ ଉପରେ ରକ୍ତ ଜଡ଼ୁବୁଡ଼ୁ ହୋଇ କୁନି ଝିଅଟି ପଡ଼ିଥିବା ଦେଖି ମା’ଙ୍କ ମୁଣ୍ଡରେ ସତେ ଯେମିତି ଆକାଶ ଛିଡ଼ିପଡ଼ିଥିଲା। କିଛି କ୍ଷଣ ପାଇଁ ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା। ସେ ଚିତ୍କାର କରି ସନ୍ତୋଷକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ପୂରା ହିଂସ୍ର ପାଲଟିଯାଇଥିବା ସନ୍ତୋଷକୁ ରୋକିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ସେ ତାଙ୍କୁ ଶକ୍ତ ଧକ୍କା ପକାଇ ସେଠାରୁ ଖସି ପଳାଇଥିଲା। ମା’ଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ସେମାନେ ତୁରନ୍ତ ନାବାଳିକାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଯାଇଥିଲେ। ଏବେ ବି ନାବାଳିକାର ଅବସ୍ଥା ସଂକଟାପନ୍ନ ରହିଛି। ଘଟଣା ପୁଲିସ କାନରେ ପଡ଼ିବା ପରେପରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସନ୍ତୋଷ ପଛରେ ପଡ଼ିଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ମାନବାଧିକାର କର୍ମୀମାନେ ଜାତୀୟ ମାନବାଧିକାର କମିସନରେ ଅଭିଯୋଗ କରିଛନ୍ତି। ଏଥିରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ଭୁବନେଶ୍ବର ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସେହିଭଳି ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ମନସ୍ତତ୍ତ୍ବବିଦ୍‌ଙ୍କ କହିବାନୁସାରେ ‌ନାବାଳିକାଙ୍କୁ କୌଣସି କାରଣରୁ ଏକୁଟିଆ ଛାଡ଼ିବା ବେଳେ ସବୁଦିଗରୁ ନଜର ରଖିବା ଉଚିତ। ଅନେକ ସମୟରେ ପରିଚିତ ଲୋକ ବି ଏହି ବର୍ବରକାଣ୍ଡ କରୁଥିବାର ନଜିର ରହିଛି। ଲୋକଲଜ୍ଜାକୁ ଡରି ଅନେକ ସମୟରେ ପରିବାର ଲୋକେ ଏଭଳି ପାଶବିକ କାଣ୍ଡକୁ ଘର ଭିତରେ ଚାପି ଦିଅନ୍ତି। କିନ୍ତୁ ଏହା ମସ୍ତବଡ଼ ଭୁଲ୍‌। ନିକଟରେ କାମାନ୍ଧ ବାପାକୁ କୋର୍ଟ ଆଜୀବନ ସଜା ଶୁଣାଇଛନ୍ତି। ପତ୍ନୀଙ୍କ ସାହସିକ ପଦକ୍ଷେପ ଯୋଗୁ କାମାନ୍ଧ ଏବେ ଜେଲ୍‌ରେ।

ସମ୍ବନ୍ଧିତ ଖବର