ଅନ୍ଧାରରେ ଏମ୍‌ସ ରାସ୍ତା: ଷ୍ଟ୍ରିଟ୍‌ ଲାଇଟ୍‌ ଅଛି, ଜଳୁନି, ଭିଆଇପିଙ୍କ ନଜର ପଡ଼ୁନି

ଖଣ୍ଡଗିରି: ରାଜ୍ୟ ତଥା ରାଜ୍ୟ ବାହାରୁ ଏମ୍‌ସକୁ ପ୍ରତିଦିନ ଆସୁଛନ୍ତି ୫ ହଜାରରୁ ଅଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। ସେଥିରେ ପୁଣି ପ୍ରତିଦିନ କେବଳ ଓପିଡିରେ ଡାକ୍ତର ଦେଖାଇବା ପାଇଁ ରାତି ୧୦ଟାରୁ ରୋଗୀ ଏବଂ ସମ୍ପର୍କୀୟଙ୍କ ଧାଡ଼ି ଲାଗୁଛି। ମାତ୍ର ଏଭଳି ଏକ ସମ୍ବେଦନଶୀଳ ସ୍ଥାନ ଅନ୍ଧାରରେ ରହୁଛି। ପୁଲିସ ଏକାଡେମୀରୁ ଏମ୍‌ସ ଦେଇ ସିଜୁଆ, ଛୋଟରାୟପୁର ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ରହିଥିଲେ ମଧ୍ୟ ଏହା ଜଳୁନାହିଁ। ଏଥିଯୋଗୁଁ ରୋଗୀଙ୍କ ସହିତ ସ୍ଥାନୀୟ ଅଧିବାସୀଙ୍କ ବଢ଼ି ଚାଲିଛି। ଉଭୟ ଏମ୍‌ସ ଏବଂ ପୁଲିସ ଏକାଡେମୀକୁ ଉଚ୍ଚପଦସ୍ତ ଅଧିକାରୀ ଓ ଭିଆପିମାନେ ଯାତାୟାତ କରୁଥିବାବେଳେ କେମିତି କାହା ଦୃଷ୍ଟି ପଡ଼ୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏମ୍‌ସ ରାସ୍ତାର ଦୋକାନୀଙ୍କ ଅନୁସାରେ, ପୁଲିସ ଏକାଡେମୀରୁ ସିଜୁଆ ପର୍ଯ୍ୟନ୍ତ ରାସ୍ତାଟି ଅପରାଧପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା। ବିଭିନ୍ନ ସମୟରେ ଏଠି ଲୁଟ, ଛିନତାଇ ସହିତ ହତ୍ୟାକାଣ୍ଡ ଏବଂ ଅପରାଧ ହୁଏ। ନିଛାଟିଆ ସ୍ଥାନ ସହିତ ଏଠାରେ ଥିବା କାଜୁ ଜଙ୍ଗଲ ଅପରାଧୀଙ୍କୁ ସୁହାଏ। ତେଣୁ ଏହି ଅଞ୍ଚଳରେ ଅଧିକ ଲାଇଟ୍‌ ଲଗାଇବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଏ। ମାତ୍ର ଏହା ବଦଳରେ ରାସ୍ତାରେ ଯେଉଁ ଲାଇଟ୍‌ ଅଛି ତାହା ମଧ୍ୟ କାହିଁ କେତେ ଦିନ ହେଲା ଅଚଳ ହୋଇ ପଡ଼ିଛି। ଫଳରେ ସେହି ରାସ୍ତା ଦେଇ ଯାତାୟାତ ଠାରୁ ବ୍ୟବସାୟ କରିବାକୁ ମଧ୍ୟ ଭୟ ଲାଗୁଛି। ଏମ୍‌ସକୁ ଆସିଥିବା ରୋଗୀ ସମ୍ପର୍କୀୟଙ୍କ ଅନୁସାରେ, ଆସନ୍ତାକାଲି ସେମାନେ ଓପିଡିରେ ଦେଖାଇବେ।

ଆଜିଠାରୁ ଅପେକ୍ଷା କରିଛନ୍ତି। ରାତି ହେଲେ ଅନ୍ଧାର ରାସ୍ତାରେ ଖାଇବା, ଔଷଧ ଏବଂ ଶୌଚ ପାଇଁ ଯିବାବେଳକୁ ଭୟ ଲାଗେ। ସିଜୁଆର ନାଗରିକମାନେ ତାଙ୍କ ଗାଁରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳାଇବା ବ୍ୟବସ୍ଥା କରିବା ପାଇଁ ଅନେକ ଦିନ ହେଲା ଦାବି କରି ଆସୁଛନ୍ତି। ମାତ୍ର ଏହାକୁ କେହି ଦୃଷ୍ଟି ଦେଉ ନାହାନ୍ତି। ବିଏମ୍‌ସି ଯନ୍ତ୍ରୀଙ୍କ ଅନୁସାରେ, ଡ୍ରପ ଆଉଟ ଯୋଗୁଁ ଏମ୍‌ସ ରାସ୍ତାର ଲାଇଟ୍‌ ଜଳୁନଥିଲା। ଶୁକ୍ରବାର ଦିନ ଏସମ୍ପର୍କରେ ଅବଗତ ହୋଇ ଟାଟା ପାୱାରର କଳିଙ୍ଗନଗରର ଜେଇଙ୍କୁ ଜଣାଇଥିଲେ। ସମସ୍ୟାର ସମାଧାନ କରାଯାଇଥିବା ନେଇ ଜେଇ ସୂଚନା ଦେଇଥିଲେ। ବର୍ତ୍ତମାନ ବି ଯଦି ଜଳୁ ନାହିଁ ତେବେ ଆସନ୍ତାକାଲି ପୁନର୍ବାର ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବା ନେଇ ଟାଟା ପାୱାରର କଳିଙ୍ଗନଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର