ମା’ ରମାଦେବୀ ଚେୟାର୍‌ର ଶୁଭାରମ୍ଭ

ମହିଳା ସଶକ୍ତୀକରଣ, ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରାଯିବ

ଭୁବନେଶ୍ୱର: ମହିଳାମାନଙ୍କ ନିରନ୍ତର ବିକାଶ, ସଶକ୍ତୀକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର୍‌। ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତୀକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ରମାଦେବୀ ଚେୟାର୍‌ ଅନ୍‌ ଓମେନ୍ସ୍‌ ଷ୍ଟଡିଜ୍‌ର ଶୁଭାରମ୍ଭ ଉତ୍ସବରେ ଯୋଗଦେଇ ଏଭଳି କହିଛନ୍ତି ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌। ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି, ସେ ସ୍ୱପ୍ନକୁ ସାକାର କରିବାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଏଭଳି ସତ୍‌ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ। ଆଜିର ଏହି ଚେୟାର୍‌ର ଶୁଭାରମ୍ଭ ନାରୀ ଜାଗରଣ, ମହିଳା ସଶକ୍ତୀକରଣକୁ ଆହୁରି ପ୍ରୋତ୍ସାହନ ଦେଉଛି ବୋଲି ସେ କହିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଏହି ଉତ୍ସବରେ ସଭାପତିତ୍ୱ କରି ଶିକ୍ଷା ମହିଳାମାନଙ୍କୁ ସଶକ୍ତ ଓ କ୍ଷମତାଶାଳୀ କରିପାରିବ ବୋଲି କହିଥିଲେ। ଶିକ୍ଷା ସାହାଯ୍ୟରେ ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବେ ବୋଲି ସେ କହିଥିଲେ। ନିଖିଳ ଭାରତ ମହିଳା ସମ୍ମିଳନୀର ସେକ୍ରେଟାରି ଜେନେରାଲ ମଞ୍ଜୁ କାକ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାମାନେ ସ୍ୱତଃପ୍ରବୃତ୍ତ ଭାବେ ଘରର ଚାରି କାନ୍ଥରୁ ବାହାରି ନିଜ ନିଜର ସାମାଜିକ, ଅର୍ଥନୈତିକ ଉତ୍‌ଥାନ ପାଇଁ ଚେଷ୍ଟା କରିବା ଜରୁରୀ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପୂର୍ବତନ ପ୍ରଫେସର ଓ ଓମେନ୍ସ୍‌ ଷ୍ଟଡିଜ୍‌ର ନିର୍ଦ୍ଦେଶିକା ପ୍ରଫେସର ଆଶା ହଂସ ଯୋଗଦେଇ ମହିଳା ସଶକ୍ତୀକରଣ, ଦେଶର ଉନ୍ନୟନ ସହିତ ଓଡ଼ିଶାର ଅର୍ଥନୈତିକ ବିକାଶ ମା’ ରମାଦେବୀ ଚେୟାର୍‌ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ପି.ଜି. କାଉନ୍‌ସିଲର ଚେୟାରପର୍ସନ୍‌ ପ୍ରଫେସର୍‌ ଚଣ୍ଡୀଚରଣ ରଥ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅକୁଣ୍ଠ ସହଯୋଗ ବଳରେ ମା’ ରମାଦେବୀ ଚେୟାର୍‌ ପ୍ରତିଷ୍ଠା ସମ୍ଭବପର ହୋଇପାରିଛି ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମା’ ରମାଦେବୀ ଚେୟାର୍‌ର ପ୍ରଫେସର୍‌ ସୁଚେତା ପ୍ରିୟବାଦିନୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଦୃଷ୍ଟିବାଧିତ କ୍ରିକେଟ କ୍ଷେତ୍ରରେ ସଫଳତା ପାଇଥିବା ବିଶ୍ୱବିଦ୍ୟାଳୟର ଛାତ୍ରୀ ବାସନ୍ତୀ ହାଁସ୍‌ଦା, ଫୁଲ ସୋରେନ୍‌, ଝିଲି ବରୁଆଙ୍କୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର