ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିସନରେଟ୍‌ ପୁଲିସର ବ୍ଲୁ-ପ୍ରିଣ୍ଟ: ହୋଟେଲ୍‌ଠୁ ବସ୍ତି ସବୁଠି ତନାଘନା

ସନ୍ଦିଗ୍ଧଙ୍କ ଉପରେ ନଜର, ଛାତ ଉପର, ଜନପଥରେ କଟକଣା

ଭୁବନେଶ୍ବର: ଆସନ୍ତା ୧୨ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍‌ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତିଙ୍କ ଯୋଗ ଦେବେ। ସବୁଠୁ ବଡ଼କଥା ହେଲା ରାଜଭବନ ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରୋଡ୍‌ ସୋ’ ହେବାର କାର୍ଯ୍ୟକ୍ରମ ରହିଛି। ହଜାର ହଜାର ଦଳୀୟ କର୍ମୀ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ବହୁ ଭିଭିଆଇପି ମଧ୍ୟ ସାମିଲ୍‌ ହେବେ। ଯଦିଓ ରେଡ୍‌ ସୋ’ ନେଇ କୌଣସି ସ୍ପ‌ଷ୍ଟ ବିବରଣୀ ଆସିନାହିଁ, ହେଲେ କମିସନରେଟ୍‌ ପୁଲିସ ସମସ୍ତ ଦିଗ ପାଇଁ ନିଜକୁ ପ୍ରସ୍ତୁତ ରଖିଛି।

ହୋଟେଲ୍‌ଠୁ ବସ୍ତି ସବୁଠି ତନାଘନା
ସନ୍ଦିଗ୍ଧଙ୍କ ଉପରେ ନଜର
ଛାତ ଉପର, ଜନପଥରେ କଟକଣା
ରାଜଭବନରୁ ଜନତା ମୈଦାନ ନୋ ଫ୍ଲାଇଙ୍ଗ ଜୋନ୍‌

ଏପଟେ ଭବ୍ୟ ଶପଥ ଉତ୍ସବ ସମାରୋହ ସାଙ୍ଗକୁ ସେପଟେ ସମ୍ଭାବ୍ୟ ମୋଦୀଙ୍କ ରୋଡ୍‌ ସୋ। ତେଣୁ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଓ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶେଷ କରି ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଏହି ସମୟରେ ହୋଟେଲ୍‌କୁ ଆସୁଥିବା ବ୍ୟକ୍ତିଙ୍କର ତଥ୍ୟ ଯାଞ୍ଚ କରାଯାଉଛି। ହୋଟେଲ୍‌ଗୁଡ଼ିକ ଠିକ୍‌ ଭାବେ ଗ୍ରାହକଙ୍କ ନାମ, ଠିକଣା, ମୋବାଇଲ ନମ୍ବର ପଞ୍ଜୀକରଣ କରୁଛନ୍ତି ନା ନାହିଁ। ସରାଇ ଆପ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି ନା ନାହିଁ ତାହା ଅନୁଧ୍ୟାନ କରାଯାଉଛି। ସେହିପରି ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ କରାଯାଉଛି। ହୋଟେଲ୍‌ ଓ ବସ୍ତି ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାଛଡ଼ା ପ୍ରତି ଥାନାକୁ ସେମାନଙ୍କ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଡିସିପି ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍‌ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମାର୍କେଟ୍‌ କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେମାନେ ରୁଫ୍‌ ଟପ୍‌ରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବେ ନାହିଁ। କି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ରଖିବେ ନାହିଁ। ଏହଛଡ଼ା କେଉଁ କେଉଁ ଉଚ୍ଚ ଅଟ୍ଟାଳିକରେ ପୁଲିସ ଜଗି ରହିବ ‌ତା’ର ମଧ୍ୟ ତାଲିକା କରାଯାଇଛି। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍‌ ଘୋଷଣା କରାଯିବା ସହ ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି। ରାତ୍ରିକାଳୀନ ବ୍ଲକିଂ ଚେକିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ସେହିପରି ୧୨ ତାରିଖ ଅପରାହ୍ଣରେ ରାଜଭବନରୁ ଜନତା ମଇଦାନ ରୋଡ୍‌ରେ କଟକଣା ଲଗାଯାଇଛି। ଏହି ସମୟରେ ଲୋକମାନେ କିଭଳି ଯାତାୟାତ କରିବେ ତାର ଏକ ରୋଡ୍‌ ମ୍ୟାପ୍‌ ୧୧ ତାରିଖରେ ଟ୍ରାଫିକ୍‌ ପକ୍ଷରୁ ଜାରି କରାଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସମ୍ପୂର୍ଣ୍ଣ ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି। ଏଥିପାଇଁ କଣ୍ଟ୍ରୋଲ୍‌ରୁମ୍‌ରୁ ଜଣେ ଡିଏସ୍‌ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ପ୍ରତିଟି ଗତିବିଧି ଉପରେ ନଜର ରଖିବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଟିମ୍ ସହ ଆର୍‌ ଆଣ୍ଡ ବି, ବିଏମ୍‌ସିର ଅଧିକାରୀ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନ୍ସ ଵିଙ୍ଗ୍‌ ଓ କାରକେଡ୍‌ ସହ ରହିବାକୁ ଥିବା ବାଟାଲିୟନ୍‌ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ପ୍ରତିଦିନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡଗ୍‌ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ ସ୍ଥିତି ସମୀକ୍ଷା କରୁଛନ୍ତି।

ସମ୍ବନ୍ଧିତ ଖବର