ଗଞ୍ଜେଇ ମାଫିଆଙ୍କ କବ୍‌ଜାରେ ଚନ୍ଦ୍ରଶେଖରପୁର ଅଞ୍ଚଳ: ବିପଦରେ ବସ୍ତିର ଯୁବକ ଓ ଶିକ୍ଷାନୁଷ୍ଠାନର ଛାତ୍ର

ଚନ୍ଦ୍ରଶେଖରପୁର: ଅବକାରୀ ବିଭାଗ ହେଉ କିମ୍ବା ସ୍ଥାନୀୟ ଥାନା ପୁଲିସ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ କେହି ସଫଳ ହେଉ ନାହାନ୍ତି। ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଗଦାଗଦା ଗଞ୍ଜେଇ ଜବତ ହେଉଥିଲେ ମଧ୍ୟ ଆହୁରି ଅନେକ ନିଶା ମାଫିଆ ପୁଲିସ ଆଖିରେ ଧୂଳିଦେଇ ଖସି ପଳାଉଛନ୍ତି। ଅଞ୍ଚଳରେ ଏହି ବେପାର ପୂର୍ବଭଳି ଜାରି ରହୁଛି। ଏହି ଅଞ୍ଚଳରେ ୩ଟି ଥାନା ଅଛି- ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର ଓ ମୈତ୍ରୀବିହାର ଥାନା। ଏହି ୩ ଥାନା ପୁଲିସର ଆଖି ଆଢୁଆଳରେ ମାଫିଆମାନେ ତାଙ୍କ ବେପାର ଚଳାଉଛନ୍ତି। କେବେ ୨୦୦ ଫୁଟିଆ ରାସ୍ତାରେ ତ ପୁଣି କେବେ ଚୂନକୋଳି ବସ୍ତିରେ, ପୁଣି କେବେ ସାଲିଆସାହି, ହାତୀଆଶୁଣି, ଚିରଗାଲଟୋଲା, ଶିଖରଚଣ୍ଡୀବସ୍ତି ଓ ପଟିଆ ଷ୍ଟେସନ୍ ନିକଟରେ ଗଞ୍ଜେଇ ବ୍ୟବସାୟୀ ନିଜର ପସରା ଖୋଲୁଛନ୍ତି। ଅନେକ ଥର ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରିଛି, କିନ୍ତୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗଞ୍ଜେଇ ବେପାର ଥମିବାର ନାଁ ନେଉନାହିଁ।

କୁହା ଯାଉଛି, ନିଶା ବେପାରୀମାନେ ଗିରଫ ହେଉଛନ୍ତି ସତ, କିନ୍ତୁ ଜାମିନରେ ଆସିବାପରେ ପୁଣି ନିଶା ବ୍ୟବସାୟ କରୁଛନ୍ତି। ସେମାନଙ୍କ ଉପରେ ନିରନ୍ତର ନଜର ରଖା ଯାଉନଥିବାରୁ ଏପରି ଘଟୁଛି। ଏହି ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ ଥିବାରୁ ମାଫିଆମାନେ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରି କଲେଜ ନିକଟରେ ଥିବା ଛୋଟ ବ୍ୟବସାୟୀଙ୍କୁ ଗଞ୍ଜେଇ ଯୋଗାଇ ଦେଉଛନ୍ତି। ତା’କୁ ବ୍ୟବସାୟୀମାନେ ସିଗାରେଟ୍ ଭିତରେ ଭର୍ତିକରି ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ ଗଞ୍ଜେଇ ବ୍ୟବସାୟ ନକମିଲେ ଏଠାକାର ବସ୍ତିଗୁଡ଼ିକରେ ରହୁଥିବା ଯୁବକ ଓ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ର ନିଶାଡ଼ି ହୋଇଯିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

‌ଏନେଇ ଚନ୍ଦ୍ରଶେଖରପୁର ଆଇଆଇସି ପ୍ରକାଶଚନ୍ଦ୍ର ମାଝି, ଇନଫୋସିଟି ଆଇଆଇସି ମହେନ୍ଦ୍ରକୁମାର ସାହୁ ଓ ମୈତ୍ରୀବିହାର ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ କହନ୍ତି, ପୁଲିସ ଯେତେବେଳେ ସୂଚନା ପାଉଛନ୍ତି, ତୁରନ୍ତ ଚଢ଼ାଉକରି ଗଞ୍ଜେଇ ସମେତ ଗାଡ଼ି ଓ ଅଭିଯୁକ୍ତମାନଙ୍କୁ ଗିରଫ କରୁଛି। ତଥାପି କିଛି ମାସପରେ ସେମାନେ ଜାମିନରେ ଆସିବାପରେ ପୁରୁଣା ବ୍ୟବସାୟରେ ଲିପ୍ତ ରହୁଥିବା ଦେଖି ପାଖାପାଖି ୭ଜଣ ନିଶା ବ୍ୟବସାୟୀଙ୍କ ଗୋଦାମ ଓ ଘର ଉପରେ ବୁଲ୍‌ଡ୍ରୋଜର୍‌ ଚଳାଇ ତାଙ୍କୁ ଉଚ୍ଛେଦ କରା ଯାଇଛି। ମାତ୍ର ଗଞ୍ଜେଇ ମାଫିଆମାନେ ନିୟମିତ ଭାବେ କନ୍ଧମାଳରୁ ଗଞ୍ଜେଇ ଆଣି ବିକ୍ରି କରୁଛନ୍ତି। ଏହାକୁ ମୂଳରୁ ନଷ୍ଟ କରିବାଲାଗି କନ୍ଧମାଳରୁ ଗଞ୍ଜେଇ ଆଣୁଥିବା ଏଠାକାର ମୁଖ୍ୟ ମାଫିଆକୁ ଧରିବାଲାଗି ପୁଲିସ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର