ଛିଡ଼ୁନି ଜଟଣୀ କଳି: କଂଗ୍ରେସ ଭବନରେ ଆଉ ଜଣେ ଆଶାୟୀଙ୍କ ନାରାବାଜି

ଭୁବନେଶ୍ବର: ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ବିବାଦ ଛିଡ଼ୁନାହିଁ। ଯଦିଓ କଂଗ୍ରେସ ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀ ଘୋଷଣା କରିନାହିଁ, ହେଲେ ଏକାଧିକ ଆଶାୟୀ ରହିଥିବା କାରଣରୁ ବିବାଦ ଲାଗି ରହିଛି। ଗତକାଲି ବିଧାୟକ ସୁରେଶ ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ କଂଗ୍ରେସ ଭବନକୁ ଆସି ହଙ୍ଗାମା କରିଥିଲେ। ଆଜି ଆଉଜଣେ ଆଶାୟୀ ଅଶୋକ ମଙ୍ଗରାଜ ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ନାରାବାଜି କରିଛନ୍ତି। ଏହି ରାଜନୈତିକ ଛକାପଞ୍ଝା ଭିତରେ ଜଟଣୀରେ କାହାରିକୁ ଟିକେଟ୍‌ ମିଳୁଛି, ତାହା ଉପରେ ନଜର ରହିଛି।

ଜଟଣୀରୁ ଏବେ ବିଧାୟକ ଅଛନ୍ତି ସୁରେଶ ରାଉତରାୟ। ହେଲେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଜଟଣୀରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜଟଣୀରୁ ଏବେ ଏକାଧିକ ଦାବିଦାର: ସଂଗ୍ରାମ ରାଉତରାୟ, ଅଶୋକ ମଙ୍ଗରାଜ, ବିଧାୟକ ସୁରଙ୍କ ବଡ଼ ପୁଅ ସୁଦ୍ଧାର୍ଥ ରାଉତରାୟ ଓ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବାକୁ ଚାହୁଥିବା ସନ୍ତୋଷ ଜେନା। ଶ୍ରୀ ଜେନାଙ୍କୁ ଗତକାଲି କଂଗ୍ରେସରେ ସାମିଲ କରିବା ପାଇଁ ସିଦ୍ଧାର୍ଥ ରାଉତରାୟ ଏକ ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ହେଲେ ଏହି ମିଶ୍ରଣ ପର୍ବ ଆରମ୍ଭ ହେବା ପୂର୍ବରୁ ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ କଂଗ୍ରେସ ଭବନରେ ହଙ୍ଗାମା କରିଥିଲେ। ବିବାଦ ଘନାଉଥିବା ଦେଖି ମିଶ୍ରଣ ପର୍ବକୁ ବାତିଲ୍ କରି ଦିଆଯାଇଥିଲା। ଏହି ମିଶ୍ରଣ ପର୍ବକୁ ନେଇ ସଂଗ୍ରାମ ରାଉତରାୟ ବିଧାୟକ ସୁରଙ୍କ ବିରୋଧରେ ବର୍ଷିଥିଲେ। କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରିଥିଲେ।

ଏହି ବିବାଦ ଥମି ନ ଥିବା ବେଳେ ଆଜି ସକାଳେ ଅଶୋକ ମଙ୍ଗରାଜ କଂଗ୍ରେସ ଭବନକୁ ଆସି ନାରାବାଜି କରିଛନ୍ତି। ଶ୍ରୀ ମଙ୍ଗରାଜ ବିଧାୟକ ଶ୍ରୀ ରାଉତରାୟଙ୍କ ସମର୍ଥକ ବୋଲି କୁହାଯାଉଛି। ସେ ମଧ୍ୟ ଜଟଣୀରୁ ଟିକେଟ ଆଶାୟୀ ରହିଛନ୍ତି। ଜଟଣୀରେ କଂଗ୍ରେସର ଆଉ କେହି ନ ଥିବା କଥାକୁ ‘କାଉଣ୍ଟର’ କରିବା ପାଇଁ କଂଗ୍ରେସ ଭବନ ଆସିଥିବା ଅଶୋକଙ୍କ ସମର୍ଥକ କହିଛନ୍ତି।

ସମ୍ବନ୍ଧିତ ଖବର